ବ୍ରହ୍ମପୁର:୨୪ ଜୁଲାଇ: ଦକ୍ଷିଣ ଓଡ଼ିଶାରେ ଉପଭୋକ୍ତାଙ୍କୁ ସଠିକ ବିଦ୍ୟୁତ ବିଲ୍ ଏବଂ ଭରସାଯୋଗ୍ୟ ସେବା ଯୋଗାଇବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପ୍ରଯୁକ୍ତି, ପାରଦର୍ଶିତା ଓ ନୈତିକତାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ଡିଜିଟାଲ୍ ବିଲିଂ, ଓସିଆର୍ ଆଧାରିତ ମିଟର ରିଡିଂ, ତଥ୍ୟ ବିଶ୍ଳେଷଣ ଓ କ୍ଷେତ୍ର ଅଡିଟ୍ ମାଧ୍ୟମରେ କମ୍ପାନୀ ବିଲିଂର ସଠିକତା ବୃଦ୍ଧି ସହ ଅନୈତିକ କାର୍ଯ୍ୟକଳାପ ଉପରେ ରୋକ ଲଗାଉଛି।
କମ୍ପାନୀର କ୍ଷେତ୍ର କର୍ମଚାରୀମାନଙ୍କ ଉଲ୍ଲେଖନୀୟ ଅବଦାନ ଏହି ସଫଳତାର ମୂଳ ଭିତ୍ତି। ପୁରୁଷୋତ୍ତମପୁରର ସନ୍ତୋଷ ସାହୁ ଗତ ଆର୍ଥିକ ବର୍ଷରେ ୬୫୪ଟି ବିଦ୍ୟୁତ ଚୋରି ମାମଲା ଚିହ୍ନଟ କରିଥିବା ବେଳେ, ଉପାଲଦାର ପପିନ୍ଦ୍ର ଜେନା ୪୪ଟି ରିପୋର୍ଟ ହୋଇନଥିବା ସଂଯୋଗ ଓ ୧୨ଟି ଶୁଳ୍କ ଅପବ୍ୟବହାର ମାମଲା ଚିହ୍ନଟ କରିଥିଲେ। ସେହିପରି ଭଞ୍ଜନଗର, ଗୋପାଳପୁର, ମାଲକାନଗିରି ଓ କବିସୂର୍ଯ୍ୟନଗରର କର୍ମଚାରୀମାନେ ଡିଜିଟାଲ୍ ବିଲିଂ ଓ ମିଟର ରିଡିଂରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ଉପଭୋକ୍ତାଙ୍କ ବିଶ୍ୱାସ ହେଉଛି କମ୍ପାନୀର ସବୁଠୁ ବଡ଼ ପୁଞ୍ଜି। ଡିଜିଟାଲ୍ ନବସୃଜନ, ସଠିକତା ଓ ଉତ୍ତରଦାୟିତ୍ୱକୁ ଆଧାର କରି କମ୍ପାନୀ ଦକ୍ଷିଣ ଓଡ଼ିଶାରେ ଏକ ସ୍ୱଚ୍ଛ ଓ ଭବିଷ୍ୟତମୁଖୀ ବିଦ୍ୟୁତ ବିତରଣ ବ୍ୟବସ୍ଥା ଗଢ଼ି ତୋଳିବାକୁ ପ୍ରତିବଦ୍ଧ।
କୌଣସି ବିଲିଂ ଅସଙ୍ଗତି କିମ୍ବା ଅନଧିକୃତ ବିଦ୍ୟୁତ ବ୍ୟବହାର ସମ୍ପର୍କରେ ଉପଭୋକ୍ତାମାନେ ନିକଟସ୍ଥ ଗ୍ରାହକ ସମ୍ପର୍କ କେନ୍ଦ୍ର କିମ୍ବା ହେଲ୍ପଲାଇନ ୧୮୦୦-୨୦୨୬ ଓ ୧୯୧୨ରେ ସୂଚନା ଦେବାକୁ କମ୍ପାନୀ ଅନୁରୋଧ କରିଛି।
ପ୍ରଯୁକ୍ତି ଓ ପାରଦର୍ଶିତାରେ ଭରସାଯୋଗ୍ୟ ବିଦ୍ୟୁତ ସେବା, ସଠିକ ବିଲିଂକୁ ଗୁରୁତ୍ୱ ଦେଉଛି ଟିପିଏସ୍ଓଡିଏଲ୍
