ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ଅମିତ ଶାହଙ୍କ ପ୍ରତିଶ୍ରୁତି : ବାୟୋ-ଇଥାନଲ୍‌ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ବରଗଡ଼ ଆସିବାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ।

ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ଅମିତ ଶାହଙ୍କ ପ୍ରତିଶ୍ରୁତି : ବାୟୋ-ଇଥାନଲ୍‌ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ବରଗଡ଼ ଆସିବାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ।

ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ଅମିତ ଶାହଙ୍କ ପ୍ରତିଶ୍ରୁତି : ବାୟୋ-ଇଥାନଲ୍‌ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ବରଗଡ଼ ଆସିବାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ।

ବରଗଡ଼, ୧୨/୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲାରେ ନବନିର୍ମିତ ବିପିସିଏଲ୍‌ର ଏକୀକୃତ ଜୈବ-ଇଥାନଲ୍‌ କାରଖାନାର ଉଦ୍‌ଘାଟନ ପାଇଁ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ ଜଣାଇବା ସହ ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ଶ୍ରୀ ଶାହଙ୍କୁ ସାକ୍ଷାତ୍‌ କରି ସାଂସଦ ଦୁଇଟି ପୃଥକ ଚିଠି ମାଧ୍ୟମରେ ଏହି ଦାବି ଉପସ୍ଥାପନ କରିଥିଲେ। ଏହାର ଗୁରୁତ୍ୱ ଉପଲବ୍ଧି କରି ବରଗଡ଼ ଚିନିକଳ ପୁନର୍ବାର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଶାହ ପ୍ରତିଶ୍ରୁତି ଦେଇଥିବା ସାଂସଦ ସୂଚନା ଦେଇଛନ୍ତି।ସାଂସଦଙ୍କ ଚିଠି ଅନୁଯାୟୀ, ବିପିସିଏଲ୍‌ ପକ୍ଷରୁ ପ୍ରାୟ ୧,୭୭୫ କୋଟି ଟଙ୍କା ବ୍ୟୟରେ ବରଗଡ଼ରେ ସ୍ଥାପିତ ପୂର୍ବ ଭାରତର ପ୍ରଥମ ଦ୍ୱିତୀୟ ପିଢ଼ିର ଏକୀକୃତ ଜୈବ-ଇଥାନଲ୍‌ କାରଖାନା ପ୍ରଧାନମନ୍ତ୍ରୀ ଜୀ-ଭାନ୍‌ ଯୋଜନା ଅନ୍ତର୍ଗତ ପ୍ରତିଦିନ ୨୦୦ କିଲୋଲିଟର ଇନ୍ଧନ ଉତ୍ପାଦନ କରିବାର କ୍ଷମତା ରଖିଛି।

ଧାନନଡ଼ା ଓ ଅନ୍ୟାନ୍ୟ କୃଷି ଅବଶେଷର ଉପଯୋଗ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହ ପରିବେଶ ସୁରକ୍ଷା, ନିଯୁକ୍ତି ସୃଷ୍ଟି ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ଶ୍ରୀ ଶାହ ନିଜେ ବରଗଡ଼ ଆସିବାକୁ ସାଂସଦ ଅନୁରୋଧ କରିଛନ୍ତି।ଏହା ସହିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ଐତିହାସିକ, ଧାର୍ମିକ ଓ ପରିବେଶଗତ ମହତ୍ତ୍ୱ ସମ୍ପର୍କରେ ଶ୍ରୀ ଶାହଙ୍କୁ ଅବଗତ କରାଇବା ସହ ଏହାର ଗୁରୁତ୍ୱକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ପାଇଁ ଗନ୍ଧମାର୍ଦ୍ଦନ ପର୍ବତ ଓ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିବାକୁ ମଧ୍ୟ ସାଂସଦ ନିମନ୍ତ୍ରଣ ଜଣାଇଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ସମ୍ବଲପୁରୀ ବୁଣାକାରଙ୍କ କଳାର ପରିଚୟ ବହନ କରୁଥିବା ସମ୍ବଲପୁରୀ ବସ୍ତ୍ରରେ ନିର୍ମିତ ଏକ ଜ୍ୟାକେଟ୍‌ ଶ୍ରୀ ଶାହଙ୍କୁ ଉପହାର ଦେଇଥିଲେ। ଏହି ସାକ୍ଷାତ୍‌କାର ସମୟରେ ଓଡ଼ିଶାର ରାଜନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା।ଅନ୍ୟପକ୍ଷରେ, ବରଗଡ଼ର ତୋରାଠାରେ ୧୦୪ ଏକର ଜମିରେ ଅବସ୍ଥିତ ଐତିହାସିକ ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପ୍ରସଙ୍ଗକୁ ସାଂସଦ ଗୁରୁତ୍ୱର ସହ ଉଠାଇଛନ୍ତି। ପରିଚାଳନାଗତ ଅବ୍ୟବସ୍ଥା ଓ ଆର୍ଥିକ ସମସ୍ୟା ଯୋଗୁଁ ୨୦୧୭ ଏପ୍ରିଲ୍‌ ମାସରୁ ଏହି କାରଖାନା ବନ୍ଦ ହୋଇପଡ଼ିଛି।

ଏହାର ପୁନରୁଦ୍ଧାର ପାଇଁ ଇଣ୍ଡିଆନ୍‌ ପୋଟାଶ୍‌ ଲିମିଟେଡ୍‌ ୨୦୨୨ ନଭେମ୍ବର ୧୬ ତାରିଖରେ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ୨୦୨୩ ଅକ୍ଟୋବର ୧୬ ତାରିଖରେ ଏହି ପ୍ରକ୍ରିୟାକୁ ପରିସମାପ୍ତି ଘୋଷଣା କରାଯାଇଥିଲା। ଫଳରେ ଶତାଧିକ କର୍ମଚାରୀ ଓ ଆଖୁଚାଷୀଙ୍କ ଜୀବିକା ପ୍ରଭାବିତ ହେବା ସହ ଅଞ୍ଚଳରେ ଆଖୁଚାଷ ପ୍ରାୟତଃ ବନ୍ଦ ହୋଇଯାଇଛି।ଏହି ୧୦୪ ଏକର ଜମିରେ ଏକ ଆଧୁନିକ ଓ ସମନ୍ୱିତ ଚିନିକଳ ସ୍ଥାପନ ପାଇଁ ଇଣ୍ଡିଆନ୍‌ ପୋଟାଶ୍‌ ଲିମିଟେଡ୍‌ କିମ୍ବା ଅନ୍ୟ କୌଣସି ସକ୍ଷମ ସମବାୟ ସଂସ୍ଥାକୁ ଦାୟିତ୍ୱ ଦେବା ନିମନ୍ତେ ସମବାୟ ମନ୍ତ୍ରଣାଳୟ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଓ ନିର୍ଦ୍ଦେଶ ଜାରି କରିବାକୁ ସାଂସଦ ଶ୍ରୀ ପୁରୋହିତ ଅନୁରୋଧ କରିଛନ୍ତି।ବରଗଡ଼ ଜିଲ୍ଲାର କୃଷିଭିତ୍ତିକ ଅର୍ଥନୀତିକୁ ନୂତନ ଦିଗ ଦେବା, ଚାଷୀଙ୍କ ଆୟ ବୃଦ୍ଧି, ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଏବଂ ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦିଗରେ ବାୟୋ-ଇଥାନଲ୍‌ ପ୍ରକଳ୍ପ ଓ ଚିନିକଳର ପୁନରୁଦ୍ଧାର ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି ବୋଲି ସାଂସଦ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।