*ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କ ଥଇଥାନ ପ୍ରକ୍ରିୟା ତ୍ୱରାନ୍ୱିତ ନିମନ୍ତେ ଆଭାଷୀ ବୈଠକ ଅନୁଷ୍ଠିତ ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକର ଥଇଥାନ ଓ ପୁନର୍ବାସ ପ୍ରକ୍ରିୟାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ସେମାନଙ୍କୁ ସମ୍ମାନଜନକ ଜୀବନଯାପନର ସୁଯୋଗ ପ୍ରଦାନ ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୧୫ ତାରିଖରେ ପୁନର୍ବାସ ଓ ପୁନଃଥଇଥାନ ସମ୍ପର୍କିତ ଆର୍ପିଡିଏସି ଉପକମିଟିର ଦ୍ୱିତୀୟ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।ବୈଠକରେ ବିସ୍ଥାପିତ ପରିବାରଗୁଡ଼ିକୁ ପ୍ରଦାନ କରାଯାଉଥିବା ପୁନର୍ବାସ ସହାୟତା, ଥଇଥାନ କଲୋନୀରେ ଗୃହ ନିର୍ମାଣ, ବିଦ୍ୟୁତ୍ ସଂଯୋଗ, ସୌରଶକ୍ତି ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏଥିସହ ବିସ୍ଥାପିତ ପରିବାରଙ୍କ ବିଭିନ୍ନ ଦାବି ଓ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା।ବକେୟା ରହିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୁର୍ଣ୍ଣ କରିବା
ସହ ବିସ୍ଥାପିତ ପରିବାରଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ କମିଟି ଗୁରୁତ୍ୱାରୋପ କରିଥିଲା।ଏହି ବୈଠକରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଉଭୟ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ କମିଟି ସଦସ୍ୟଙ୍କ ସମେତ ଗ୍ରାମବାସୀମାନେ ମଧ୍ୟ ଯୋଗ ଦେଇଥିଲେ।
