ଦେଢ଼ ବର୍ଷ ହେଲା ଅଚଳ ସୋଲାର ପମ୍ପ!ପାନୀୟ ଜଳ ପାଇଁ ଝରଣା ଭରସାରେ ଲୁହାରା ରାଇତ ସାହିବାସୀ ।
ଗଜପତି, 28.11/ମନୋଜ କୁମାର ପାଢୀଙ୍କ ରିପୋର୍ଟ ସରକାର ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଅନ୍ୟପଟେ ଦୀର୍ଘ ଦିନ ଧରି ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଥିଲେ ମଧ୍ୟ ଏହାର ମରାମତି ପ୍ରତି କାହାର ନଜର ନାହିଁ। ଏଭଳି ଏକ ଦୁର୍ଦ୍ଦଶାର ଚିତ୍ର ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ଗ୍ରାମ ପଞ୍ଚାୟତର ଲୁହାରା ରାଇତ ସାହିରେ ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ, ଲୁହାରା ରାଇତ ସାହିରେ ଲୋକଙ୍କ ପାନୀୟ ଜଳ ସୁବିଧା ପାଇଁ ସ୍ଥାପନ କରାଯାଇଥିବା ସୋଲାର ପମ୍ପ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଅଚଳ ହୋଇ ପଡ଼ିରହିଛି। ଫଳରେ ସାହିବାସୀ ପାନୀୟ ଜଳ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର RWSS ବିଭାଗର ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ, ଏହି ସୋଲାର ପମ୍ପଟି ପଞ୍ଚାୟତ ପାଣ୍ଠିରୁ ନିର୍ମାଣ ହୋଇଥିବାରୁ ଏହାର ମରାମତି ପାଇଁ ସେ ଦାୟୀ ନୁହନ୍ତି ବୋଲି RWSS ଯନ୍ତ୍ରୀ କହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଫଳରେ ପଞ୍ଚାୟତ ଓ RWSS ବିଭାଗ ମଧ୍ୟରେ ଦାୟିତ୍ୱ ନିର୍ଦ୍ଧାରଣ ହୋଇପାରୁନଥିବାରୁ ଏହାର ମରାମତି କାର୍ଯ୍ୟ ଅଟକି ରହିଛି।ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ସାହିବାସୀ ବାଧ୍ୟ ହୋଇ ନିକଟସ୍ଥ ଝରଣାର ପାଣିକୁ ପାନୀୟ ଜଳ ସହ ନିତ୍ୟ ବ୍ୟବହାରରେ ଲଗାଉଛନ୍ତି। ଝରଣା ଜଳର ଗୁଣବତ୍ତା ଯାଞ୍ଚ ନହୋଇଥିବାରୁ ଏହା ପାନ କରିବା ଦ୍ୱାରା ଜଳବାହିତ ରୋଗର ଆଶଙ୍କା ରହିଛି। ବିଶେଷ କରି ଶିଶୁ, ମହିଳା ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ଚିନ୍ତାର ବିଷୟ ପାଲଟିଛି।ଗୋଟିଏ ପଟେ ସରକାର ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟପଟେ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏକ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିବା ପ୍ରଶାସନିକ ତତ୍ପରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ପ୍ରଶ୍ନ ଉଠୁଛି, ସୋଲାର ପମ୍ପଟି କେଉଁ ପାଣ୍ଠିରେ ନିର୍ମାଣ ହୋଇଛି, ତାହା ଯାହା ହେଉନା କାହିଁକି, ଏହାର ମରାମତି ଦାୟିତ୍ୱ କାହାର?
ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାର ଦାୟିତ୍ୱ କିଏ ନେବ?ଏଣୁ ଜିଲ୍ଲା ପ୍ରଶାସନ, ପାନୀୟ ଜଳ ଯୋଗାଣ ବିଭାଗ,ଗୁମ୍ମା ବିଡିଓ ଓ ଅଜୟଗଡ଼ ସରପଞ୍ଚ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସୋଲାର ପମ୍ପର ମରାମତି କରିବା ସହ ଲୁହାରା ରାଇତ ସାହିବାସୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇଦେବାକୁ ମୋଜେସ ରଇତ, ଯୋଶୀୟ ରଇତ, ସମିତି ସଭ୍ୟା ରିବିକା ଗମାଙ୍ଗ, ଏବଂ ୱାର୍ଡ ସଭ୍ୟା ପଦ୍ମିନୀ ମଣ୍ଡଳ ସମେତ ଗ୍ରାମବାସୀ ଦାବି କରିଛନ୍ତି ।
