*ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ।*
ଗଜପତି,୧୬.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଡ଼ବ୍ରାହ୍ମଣସ୍ଥିତ ରାମସ୍ୱାମୀ ମଠ (ପାତ୍ରମଠ) ପରିସରରେ ଶ୍ରୀମଦ୍ ଭାଗବତ ସପ୍ତାହବ୍ୟାପୀ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମତା-୦୯.୧୦.୨୦୨୬ ରିଖ ଠାରୁ ଆରମ୍ଭ ହୋଇ ତା-୧୫.୧୦.୨୦୨୬ ରିଖ ପର୍ଯ୍ୟନ୍ତ ଭାଗବତ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି।ଭାଗବତ ପାଠ, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ମାଧ୍ୟମରେ ଭକ୍ତମାନଙ୍କୁ ଭଗବାନଙ୍କ ଲୀଳା, ଭକ୍ତି ଓ ଧର୍ମର ମହତ୍ତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା।
ବ୍ରହ୍ମପୁରର ଭାଗବତ ସୂର୍ଯ୍ୟ ବାବା ଶ୍ରୀ ରାଧାକାନ୍ତ ଦାସ ମହାରାଜ ପ୍ରବଚନ ପ୍ରଦାନ କରିଥିଲେ।ଏହି ଅବସରରେ ବୃନ୍ଦାବନର ଶ୍ରୀଗୁରୁ ବାବା ଶ୍ରୀ ଯଶୋଦାନନ୍ଦନ ଦାସଜୀ ଓ ପୁରୀରୁ ଆସିଥିବା ଶ୍ରୀଗୁରୁ ମହନ୍ତ ଡଃ କୃଷ୍ଣ ଗୋବିନ୍ଦ ଦାସଜୀ ଶାସ୍ତ୍ରୀ ମହାରାଜଙ୍କ ଆଶୀର୍ବାଦ ଓ ସହଯୋଗରେ ସଫଳତାର ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସେହିପରି ବୃନ୍ଦାବନର ବାବା ଶ୍ରୀ ଅଦ୍ୱୈତ ଚରଣ ଦାସ ଜୀ ମହାରାଜ ପାରାୟଣ ବ୍ୟାସ ପାଠ କରିଥିବା ବେଳେ ବୃନ୍ଦାବନରୁ ଆସିଥିବା ମହନ୍ତ ଶ୍ରୀ ସତ୍ୟହରି ଦାସଜୀ ଯୋଗ ଦେଇଥିଲେ।ଏହି ଆଧ୍ୟାତ୍ମିକ ଆୟୋଜନରେ ଯୋଗ ଦେଇ ଭଗବତ୍ କଥା ଶ୍ରବଣ କରିବା ସହ ପ୍ରଭୁଙ୍କ କୃପା ଲାଭ କରିବାକୁ ଭକ୍ତମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।ଶ୍ରୀମଦ ଦ୍ଭାଗବତ ପୁରାଣ ହେଉଛି ଭାରତୀୟ ଆଧ୍ୟାତ୍ମିକ ଓ ଧାର୍ମିକ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ। ଏହାର ମୂଳ ସାରମର୍ମ ହେଉଛି—ମଣିଷ ଜୀବନର ପରମ ଲକ୍ଷ୍ୟ ଭଗବାନଙ୍କ ପ୍ରତି ନିଷ୍କାମ ପ୍ରେମ, ନିଷ୍ଠାପୂର୍ଣ୍ଣ ଭକ୍ତି ଓ ଆତ୍ମଜ୍ଞାନ ମାଧ୍ୟମରେ ମୋକ୍ଷ ପ୍ରାପ୍ତି।ଭାଗବତ ମଣିଷକୁ ସତ୍ୟ, ଧର୍ମ, ଦୟା, କ୍ଷମା ଓ ପରୋପକାରର ପଥରେ ଚାଲିବାକୁ ପ୍ରେରଣା ଦିଏ।
ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସ ଓ ପ୍ରେମ ହିଁ ଜୀବନକୁ ସାର୍ଥକ କରିବାର ଶ୍ରେଷ୍ଠ ମାର୍ଗ ବୋଲି ଏହି ପବିତ୍ର ଗ୍ରନ୍ଥରେ ପ୍ରତିପାଦିତ ହୋଇଛି।ଭାଗବତର ଶିକ୍ଷା ଅନୁସାରେ, ମଣିଷ ଅହଂକାର, ଲୋଭ, ମୋହ ଓ ଅସତ୍ ପ୍ରବୃତ୍ତିକୁ ତ୍ୟାଗ କରିବା ଆବଶ୍ୟକ। ଧନ, ଯଶ ଓ ଭୌତିକ ସୁଖ କ୍ଷଣସ୍ଥାୟୀ ହୋଇଥିବାରୁ ଏହା ପଛରେ ଅନ୍ଧ ଭାବରେ ଧାଇଁବା ପରିବର୍ତ୍ତେ ଜୀବନରେ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ଉଚିତ ବୋଲି ପ୍ରବଚକ ଦର୍ଶାଇଥିଲେ।ସେହିପରି ସମସ୍ତ ଜୀବଙ୍କ ପ୍ରତି ଦୟା, ପ୍ରେମ ଓ ସମଭାବ ରଖିବା ସହିତ ଅସହାୟଙ୍କୁ ସାହାଯ୍ୟ କରିବା, ଅନ୍ୟର ଦୁଃଖରେ ସମବେଦନା ଜଣାଇବା ଏବଂ ସେବାକୁ ଜୀବନର ଅଂଶ କରିବା ହେଉଛି ଭାଗବତର ଅନ୍ୟତମ ମୁଖ୍ୟ ବାର୍ତ୍ତା ଥିଲା।ଭକ୍ତିରେ ହୃଦୟକୁ ପବିତ୍ର କର, ଧର୍ମରେ ଜୀବନକୁ ଗଢ଼, ଦୟା ଓ ସେବାରେ ମାନବିକତାକୁ ପ୍ରକାଶ କର ଏବଂ ଭଗବାନଙ୍କ ପ୍ରତି ନିଷ୍କାମ ପ୍ରେମ ମାଧ୍ୟମରେ ଆତ୍ମାର ମୁକ୍ତି ପଥରେ ଅଗ୍ରସର ହେବା ପାଇଁ ମାର୍ଗଦର୍ଶନ କରିଥିଲେ।
ଏହି ଅବସରରେ କାର୍ଯ୍ୟକ୍ରମର ଉଦ୍ୟୋକ୍ତା ବାଙ୍କବିହାରୀ ସାହୁ ଓ ତାଙ୍କ ପରିବାରବର୍ଗ ଜନସାଧାରଣଙ୍କର ସହଯୋଗ ନିମନ୍ତେ ସାଧୁବାଦ ଜଣାଇଛନ୍ତି।
