*ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ “ଖେଲୋ ଇଣ୍ଡିଆ ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି,୨୮.୮(ମନୋଜ ପାଢ଼ୀ) :-ଜାତୀୟ କ୍ରୀଡ଼ା ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଏବଂ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ “ଖେଳ କି ବାତ୍ ମୋଦି କେ ସାଥ” ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଜାତୀୟ ଚେତନାର ବିକାଶ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆନ୍ତର୍ଜାତିକ ଭେଟେରାନ୍ ଆଥଲେଟ ଶ୍ରୀ କିଶୋର ଚନ୍ଦ୍ର ରଥ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ନିୟମିତ ଅଭ୍ୟାସ ଓ କଠିନ ପରିଶ୍ରମ ମାଧ୍ୟମରେ ସଫଳତା ହାସଲ କରିବାକୁ ପ୍ରେରଣା ଦେଇଥିଲେ।ଏଥି ସହ ମହାବିଦ୍ୟାଳୟର ଖେଳ ପ୍ରଶିକ୍ଷକ ଶ୍ରୀ ବିଦ୍ୟାଧର ସେଠୀ ଯୋଗ ଦେଇ କ୍ରୀଡ଼ା କେବଳ ଶାରୀରିକ ସାମର୍ଥ୍ୟ ବୃଦ୍ଧି କରେ ନାହିଁ, ବରଂ ଜୀବନରେ ଶୃଙ୍ଖଳା, ସହଯୋଗ ଓ ନେତୃତ୍ୱର ଗୁଣ ବିକାଶରେ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ। ବିଶେଷ କରି ୮ ବର୍ଷରୁ ୧୫ ବର୍ଷର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା କ୍ଷେତ୍ରରେ ମନୋନିବେଶ କରିବା ପାଇଁ ଉତ୍ସାହିତ କରାଯାଇଥିଲା।ଏହା ପରେ ମୋଦିଙ୍କର ଲାଇଭ କାର୍ଯ୍ୟକ୍ରମ “ଖେଲୋ ଇଣ୍ଡିଆ ସମ୍ବାଦ” କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, କ୍ରୀଡ଼ାପ୍ରେମୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଦୀପକ ରଞ୍ଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
