ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ ବେଳେ ରାସ୍ତା, ଡ୍ରେନ୍ ଓ ପୋଲ ନିର୍ମାଣ ଦାବି

ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ ବେଳେ ରାସ୍ତା, ଡ୍ରେନ୍ ଓ ପୋଲ ନିର୍ମାଣ ଦାବି

*ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ ବେଳେ ରାସ୍ତା, ଡ୍ରେନ୍ ଓ ପୋଲ ନିର୍ମାଣ ଦାବି* ।

ଗଜପତି, ୨୭.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗ୍ରାମାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଓ ଉନ୍ନତ ଗମନାଗମନ ବ୍ୟବସ୍ଥା ପାଇଁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ କତଲକଇଠା ପଞ୍ଚାୟତର ଯାଜପୁର ଗ୍ରାମବାସୀ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କ ନିକଟରେ ରାସ୍ତା, ଡ୍ରେନ୍ ଓ ପୋଲ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।ଏହି ପରିପ୍ରେକ୍ଷୀରେ ବିଧାୟକ ଯାଜପୁର ଗ୍ରାମ ଗସ୍ତ କରି ବିଭିନ୍ନ ସମସ୍ୟା ରହିଥିବା ସ୍ଥାନଗୁଡ଼ିକ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଲଗାଣ ବର୍ଷା ଯୋଗୁଁ ଗ୍ରାମର ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବାରୁ ଯାତାୟାତରେ ଲୋକେ ଅସୁବିଧା ଭୋଗୁଛନ୍ତି।ବିଶେଷ କରି ବାରିକ ସାହି ଓ କୁମ୍ଭକର୍ଣ୍ଣ ସାହି ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଏହାର ତୁରନ୍ତ ନିର୍ମାଣ ପାଇଁ ଦାବି ହୋଇଛି। ସେହିପରି କୁମ୍ଭକର୍ଣ୍ଣ ସାହିରେ ଥିବା ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଏହାର ପୁନଃନିର୍ମାଣ ସହ ଅଞ୍ଚଳରେ ଡ୍ରେନ୍ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଭାଙ୍ଗିଯାଇଥିବା ପୋଲ ନିକଟସ୍ଥ ନଳକୂପ ଚାରିପାଖରେ ବର୍ଷାଜଳ ଜମି ରହୁଥିବାରୁ ପାନୀୟ ଜଳ ଦୂଷିତ ହେବାର ଆଶଙ୍କା ରହିଛି। ତେଣୁ ଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ଓ ନଳକୂପ ଚାରିପାଖରେ ସ୍ୱଚ୍ଛତା ବଜାୟ ରଖିବାକୁ ଦାବି ହୋଇଛି।ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସମସ୍ତ କ୍ଷେତ୍ର ପରିଦର୍ଶନ କରି ସମସ୍ୟାଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ପୂର୍ବତନ ସରପଞ୍ଚ ବିନୋଦ ପ୍ରଧାନ, ୱାର୍ଡ ସଭ୍ୟ ନିରଞ୍ଜନ ବାରିକ, ଦଶରଥ ଜେନାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।ଗ୍ରାମର ରାସ୍ତା, ପୋଲ ଓ ଡ୍ରେନେଜ୍ ବ୍ୟବସ୍ଥାର ଶୀଘ୍ର ନିର୍ମାଣ ହେଲେ ଦୀର୍ଘଦିନର ମୌଳିକ ସମସ୍ୟାର ସମାଧାନ ସହ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନରେ ସୁଧାର ଆସିପାରିବ ବୋଲି ଆଶା ପ୍ରକାଶ ପାଇଛି।