ରାଇରଙ୍ଗପୁର | ମୟୂରଭଞ୍ଜପ୍ରତିଭା କେବଳ ଗୋଟିଏ କ୍ଷେତ୍ରରେ ସୀମିତ ନୁହେଁ। ଏହାର ଉଦାହରଣ ସାଜିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଝିଅ ମନପ୍ରୀତ ମହାନ୍ତ। ଏକପଟେ କ୍ରିକେଟ୍ ପଡ଼ିଆରେ ନିଜର ଦକ୍ଷତା ପ୍ରମାଣ କରି ଜାତୀୟସ୍ତରୀୟ ୧୭ ବର୍ଷରୁ କମ୍ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି, ଅନ୍ୟପଟେ ପାରମ୍ପରିକ ଛଉ ନୃତ୍ୟରେ ମଧ୍ୟ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।ସାନପଖନା ଗ୍ରାମପଞ୍ଚାୟତର ବାଦଡା ଗ୍ରାମର କୃଷକ ସୁଶାନ୍ତ କୁମାର ମହାନ୍ତ ଓ ଜ୍ୟୋତ୍ସ୍ନାରାଣୀ ମହାନ୍ତଙ୍କ ଏକମାତ୍ର ଝିଅ ମନପ୍ରୀତ ବର୍ତ୍ତମାନ ସାନମୋଉଦା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଛନ୍ତି।ଚୟନ ପ୍ରକ୍ରିୟା ଅତିକ୍ରମ କରି ଜାତୀୟ ଦଳରେକ୍ରିକେଟ୍ ପ୍ରତି ଆଗ୍ରହ, ନିୟମିତ ଅଭ୍ୟାସ ଓ ଦୃଢ଼ ମନୋବଳ ତାଙ୍କୁ ଏହି ସଫଳତା ଦେଇଛି। ପ୍ରଥମେ ରାଇରଙ୍ଗପୁର ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଚୟନ ହେବା ପରେ କରଞ୍ଜିଆରେ ଜିଲ୍ଲାସ୍ତରୀୟ ଏବଂ ବଲାଙ୍ଗୀରରେ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟାରେ ସଫଳ ହୋଇଥିଲେ।
ଏବେ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାରୁ ମନୋନୀତ ୧୬ ଜଣ ଖେଳାଳିଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ସେ ଏକମାତ୍ର ଖେଳାଳି। ଦଳରେ ସେ ମିଡିୟମ୍ ପେସ୍ ବୋଲର ଭାବେ ନିଜ ଦକ୍ଷତା ଦେଖାଇବେ।ରାଷ୍ଟ୍ରପତି ଭବନରେ ମଧ୍ୟ ଦେଖାଇଛନ୍ତି ନୃତ୍ୟ ପ୍ରତିଭାକେବଳ କ୍ରିକେଟ୍ ନୁହେଁ, ବିଶ୍ୱପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟରେ ମଧ୍ୟ ମନପ୍ରୀତଙ୍କ ରହିଛି ସ୍ୱତନ୍ତ୍ର ପରିଚୟ। ଛତିଶଗଡ଼ରେ ଆୟୋଜିତ ଛଉ ନୃତ୍ୟ ପ୍ରତିଯୋଗିତାରେ ‘ଚାଷୀ ମୂଲିଆ’ ନୃତ୍ୟ ପରିବେଷଣ କରି ସମ୍ମାନିତ ହୋଇଥିବା ବେଳେ ରାଷ୍ଟ୍ରପତି ଭବନରେ ‘ଗରୁଡ଼ ବାହନ’ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି।ପରିବାର ଓ ଅଞ୍ଚଳରେ ଖୁସିର ମାହୋଲମନପ୍ରୀତଙ୍କ ଏହି ଦୁଇମୁଖୀ ପ୍ରତିଭା ଓ ସଫଳତାକୁ ନେଇ ପରିବାର, ଶିକ୍ଷକ ଓ ଅଞ୍ଚଳବାସୀ ବେଶ୍ ଗର୍ବିତ।
ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କରୁଣାକର ମାଝୀଙ୍କ ମାର୍ଗଦର୍ଶନ ଏବଂ ଅଧ୍ୟକ୍ଷା ସ୍ମିତାଶ୍ରୀ ଗୌଡ଼ଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରୋତ୍ସାହନ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଛି।ଆଗାମୀ ଦିନରେ ମନପ୍ରୀତ ଭାରତୀୟ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇ ଦେଶର ଗୌରବ ବଢ଼ାନ୍ତୁ, ଏହା ହିଁ ସମସ୍ତଙ୍କ ଆଶା।ମନପ୍ରୀତଙ୍କୁ ଅନେକ ଅଭିନନ୍ଦନ। ତାଙ୍କ ସଫଳତା ଅନ୍ୟ ଝିଅମାନଙ୍କ ପାଇଁ ହେଉ ପ୍ରେରଣା।
#ManpreetMahanta #Mayurbhanj #WomenCricket #ChhauDance #OdishaPride #InformationMedia
