*କାଶୀନଗର ବ୍ଲକର କିତ୍ତିଙ୍ଗି ଅଞ୍ଚଳରେ ହାତୀ ଆତଙ୍କ ଅପରେସନରେ ସାମିଲ ହେଲେ ବିଧାୟକ*।
ଗଜପତି,୬.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିତ୍ତିଙ୍ଗି ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ଦେଖାଦେଇଛି। ହାତୀ ଆତଙ୍କରେ ଲୋକଙ୍କ ଧନଜୀବନର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ରାତି ଅଧରେ ହାତୀ ଘଉଡ଼ାଇବା ଅଭିଯାନରେ ପାରଳା ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ସାମିଲ ହୋଇଥିଲେ।ବିଧାୟକ ଶ୍ରୀ ପାଣିଗ୍ରାହୀ ବନବିଭାଗର କର୍ମଚାରୀମାନଙ୍କ ସହ ରାତିରେ ପ୍ରାୟ ୨ କିଲୋମିଟର ପଦଯାତ୍ରା କରି ହାତୀର ଗତିବିଧି ଓ ଅବସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥି ସହିତ ହାତୀକୁ ସୁରକ୍ଷିତ ଭାବେ ଘଉଡ଼ାଇବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।ରାତିର ଅନ୍ଧାର ଓ ହାତୀ ଆତଙ୍କ ମଧ୍ୟରେ ବନବିଭାଗ କର୍ମଚାରୀଙ୍କ ସହ ମିଶି ଅଭିଯାନରେ ରହିବା ସହ ବିପଦ ସମୟରେ ଜନସାଧାରଣଙ୍କ ପାଖରେ ରହିବା ଏବଂ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାର ସଂକଳ୍ପ ପ୍ରକାଶ କରିଥିଲେ ବିଧାୟକ।ବନବିଭାଗ ସଂପୃକ୍ତ ଅଞ୍ଚଳରେ ହାତୀର ଗତିବିଧି ଉପରେ ନିରନ୍ତର ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ଏବଂ ହାତୀ ନିକଟକୁ ନଯିବାକୁ ସଚେତନ କରାଇଥିଲେ।
