ମୁଡ଼ୁମୁଡ଼ିଆରେ ଜିଲ୍ଲାସ୍ତରୀୟ ନନ୍ଦ ଉତ୍ସବ-୨୦୨୫। ଆର,ଉଦୟଗିରି..୧୬/୮/୨୫(ମନୋଜ ପାଢୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମୁଡ଼ୁମୁଡ଼ିଆ ଗ୍ରାମଠାରେ ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ସ୍ତରୀୟ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶହ ଶହ ଯାଦବ ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରା, ନଗର ପରିକ୍ରମା କରାଯିବା ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର, ଦହି, ମହୁ ମିଶ୍ରଣ କରି ସ୍ନାନ କରାଯାଇଥିଲା। ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା, ହୋମ,ଯଜ୍ଞ, ପାରମ୍ପରିକ ସଂକୀର୍ତ୍ତନ କରାଯାଇଥିଲା। ଜୟ ଯାଦବ, ଜୟ ମାଧବ ନାରାରେ ସଭାସ୍ଥଳ ଫାଟି ପଡ଼ୁଥିଲା| ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱତନ୍ତ୍ର ଦୋଳନ ପ୍ରସ୍ତୁତ କରି ଝୁଲଣ ଉତ୍ସବ ପାଳନ କରାଯାଇଥାଏ। ମାଧବଙ୍କ ଦହି ହାଣ୍ଡି ଭଙ୍ଗା ଯିବା ଦୃଶ୍ୟ ଦେଖିବା ଲାଗି ଶହ ଶହ ମହିଳା, ପୁରୁଷ ଏକତ୍ରିତ ହୋଇଥିଲେ। ଏହା ବେଶ ଚିତ୍ତାବର୍ଷକ ଥିଲା। ଷୋଳଶଖଣ୍ଡ ଗୋପାଳ ସମାଜର ଜିଲ୍ଲା ସଭାପତି ଖଦାଳ ଗୌଡ଼ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯାଦବ ମହାସଂଘର ଉପ ସଭାପତି ହୃଷିକେଶ ଗୌଡ଼, ଜଗବନ୍ଧୁ ଦାଶ,ତରଣୀସେନ ଦାଶ, କୃଷ୍ଣଚନ୍ଦ୍ର ଦୋରା , ରାଜେନ୍ଦ୍ର ଗୌଡ଼, କୈଳାସ ଗୌଡ଼, ନରସିଂହ ଗୌଡ଼, ବିଜୟ ଗୌଡ଼, ତାରିଣୀ ଗୌଡ଼ ପ୍ରମୂଖ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ମୁଠାରୁ ଆସିଥିବା ତାଲୁକା କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୁନି କୁନି ଶିଶୁମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଅତିଥିମାନଙ୍କ ଦ୍ୱାରା କୃତୀ ଶିଶୁମାନଙ୍କୁ ପୁରଷ୍କୃତ କରାଯାଇଥିଲା।
