*ମଣ୍ଡଳୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ ଆଣିଲେ ଶତାଧିକ ଶ୍ରମିକ।*
ଗଜପତି,୮।୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ମଣ୍ଡଳୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାର ଅନିୟମିତତା ହେଉଥିବା ଶତାଧିକ ଶ୍ରମିକ ଅଭିଯୋଗ ଆଣିଛନ୍ତି।ଶ୍ରମିକମାନଙ୍କ କହିବାନୁଯାୟୀ, ଶ୍ରମିକଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ, ଆବେଦନ ଓ ଦସ୍ତାବିଜ ପ୍ରକ୍ରିୟାରେ ଅସ୍ପଷ୍ଟତା ଏବଂ ଅଫିସ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିବା ଭଳି ସମସ୍ୟା ଦେଖାଦେଉଛି।ଏହାକୁ ନେଇ ଶତାଧିକ ଶ୍ରମିକ କାର୍ଯ୍ୟାଳୟରେ ପହଞ୍ଚି ନିଜ ଅଭିଯୋଗ ଜଣାଇଥିବା ଜଣାପଡ଼ିଛି। ଶ୍ରମିକମାନଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଘଟଣା ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଓ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ସୁବିଧା ସହଜରେ ମିଳିବା ଉଚିତ ବୋଲି ଶ୍ରମିକମାନେ କହିଛନ୍ତି। ଓଡ଼ିଶାର ଶ୍ରମ ବିଭାଗ ଅଧୀନରେ ନିର୍ମାଣ ଶ୍ରମିକଙ୍କ ପାଇଁ ବିବାହ, ଶିକ୍ଷା, ମୃତ୍ୟୁକାଳୀନ ଓ ଅନ୍ୟାନ୍ୟ ସହାୟତା ଯୋଜନା ରହିଛି। ତେବେ ଶ୍ରମିକ ମାନେ ଏହି ସବୁ ସୁବିଧା ପ୍ରଦାନରେ ଅହେତୁକ ବିଳମ୍ବ ଏବଂ ବିଭିନ୍ନ ଆଳ ଦେଖାଇ ଆବେଦନ ପତ୍ରକୁ ନାକଚ କରାଯାଉଥିବା ଅଭିଯୋଗ ହୋଇଛି।ଆଇନଜୀବୀ ତଥା ସାମାଜିକ କର୍ମୀ ଶ୍ରୀ ମୋଜେଶ ଦଳବେହେରା ଓ ଗଜପତି ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ସମ୍ପାଦକ ଶ୍ରୀ ପ୍ରବାଳ ପାଇକଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଅପରପକ୍ଷରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସାହୁ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ କାର୍ଯ୍ୟାଳୟରେ କର୍ମଚାରୀ ଅଭାବରୁ କାର୍ଯ୍ୟ ବିଳମ୍ବିତ ହେଉଥିବା ସଫେଇ ଦେଇଛନ୍ତି।
