ଅସହାୟ ଅଜଣା ନାବାଳିକାଙ୍କୁ ଉଦ୍ଧାର କଲେ ସମାଜସେବୀ ଜସ୍ମିନ୍ ଶେଖ ।
ଗଜପତି,୧୦.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ପାରଳାଖେମୁଣ୍ଡି ପୌର ପରିଷଦର ୯ ନମ୍ବର ୱାର୍ଡ ଅନ୍ତର୍ଗତ ବେବର୍ତ୍ତା ସାହିରୁ ଜଣେ ଅଜଣା ନାବାଳିକା ଝିଅଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି ସମାଜସେବୀ ଜସ୍ମିନ୍ ଶେଖ।ସ୍ଥାନୀୟ ବାସିନ୍ଦାମାନେ ଜଣେ ଅଜଣା ନାବାଳିକାଙ୍କୁ ଦେଖି ଚିନ୍ତିତ ହେବା ସହ ସମାଜସେବୀ ଜସ୍ମିନ୍ ଶେଖଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଜସ୍ମିନ୍ ଶେଖ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ସୁରକ୍ଷା ନିମନ୍ତେ ଆଗକୁ ଆସିଥିଲେ।ସେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡଲାଇନ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ସୁନିତା ରଥ ମ୍ୟାଡାମ୍ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ପହଞ୍ଚି ଜସ୍ମିନ୍ ଶେଖଙ୍କ ସହଯୋଗରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରକୁ ନେଇଥିଲେ। ସେଠାରେ ତାଙ୍କର ସୁରକ୍ଷା ଓ ଆବଶ୍ୟକୀୟ ଯତ୍ନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା।ସୂଚନା ଅନୁଯାୟୀ, ନାବାଳିକାଙ୍କୁ ତାଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ପଚରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଫଳରେ ତାଙ୍କ ପରିଚୟ ଓ ପରିବାର ସମ୍ପର୍କରେ ଜାଣିବା ପାଇଁ ସମ୍ପୃକ୍ତ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।ଏହି ଘଟଣାରେ ସମାଜସେବୀ ଜସ୍ମିନ୍ ଶେଖଙ୍କ ତତ୍ପରତା, ସାହସିକତା ଓ ମାନବିକତାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଜଣେ ଅସହାୟ ନାବାଳିକାଙ୍କ ସୁରକ୍ଷା ପାଇଁ ସମୟୋଚିତ ପଦକ୍ଷେପ ନେବା ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ।
