ଗଞ୍ଜାମ ଜିଲ୍ଲା ଶିକ୍ଷକରୁ ଓଡ଼ିଶା ପ୍ରଶାସନିକ ଅଧିକାରୀ; OCS ପରୀକ୍ଷାରେ ୨୪ତମ ରାଙ୍କରେ ନରସିଂହ, କେମିତି ଥିଲା ସଫଳତାର ଯାତ୍ରା ?

ଗଞ୍ଜାମ ଜିଲ୍ଲା ଶିକ୍ଷକରୁ ଓଡ଼ିଶା ପ୍ରଶାସନିକ ଅଧିକାରୀ; OCS ପରୀକ୍ଷାରେ ୨୪ତମ ରାଙ୍କରେ ନରସିଂହ, କେମିତି ଥିଲା ସଫଳତାର ଯାତ୍ରା ?

ଗଞ୍ଜାମ ଜିଲ୍ଲା ଶିକ୍ଷକରୁ ଓଡ଼ିଶା ପ୍ରଶାସନିକ ଅଧିକାରୀ; OCS ପରୀକ୍ଷାରେ ୨୪ତମ ରାଙ୍କରେ ନରସିଂହ, କେମିତି ଥିଲା ସଫଳତାର ଯାତ୍ରା ?

ବ୍ରହ୍ମପୁର:- ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୨୪ତମ ରାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି ବ୍ରହ୍ମପୁର ସହରର ଟି.ନରସିଂହ ପାତ୍ର। ବାପା ଜଣେ ଭାଗ ଚାଷୀ । ଚାଷ କରି ପରିବାର ଚଳାଇବା ଭାରି କଷ୍ଟ ଥିଲା । ତଥାପି, ବାପା ଓ ମାଆଙ୍କ ଲକ୍ଷ୍ୟ ଥିଲା ପୁଅକୁ ପାଠ ପଢ଼ାଇ ସମାଜରେ ଜଣେ ଭଲ ମଣିଷ ରୂପରେ ଗଢ଼ିତୋଳିବା । ପରିବାର ଚଳାଇବା ପାଇଁ ବାପା-ମାଆ କରୁଥିବା କଷ୍ଟକୁ ଆଖି ସାମ୍ନାରେ ଦେଖିଥିଲେ ପୁଅ । ଭଲ ପାଠ ପଢି ଜଣେ ଭଲ ପ୍ରଶାସନିକ ଅଧିକାରୀ ହେବ, ଏ କଥାକୁ ଲକ୍ଷ୍ୟରେ ରଖି ପିଲାଟି ଦିନରୁ ସଂଘର୍ଷ ଜାରି ରଖିଥିଲେ । ମନରେ ରହିଥିବା ଆଶାକୁ ସଫଳ କରିବା ପାଇଁ ଜାରି ରଖିଥିଲେ ଉଦ୍ୟମ ।ଏହା ଭିତରେ ଶିକ୍ଷକ ଚାକିରି କରିଥିଲେ । ଶିକ୍ଷକତା କରୁଥିବା ସମୟରେ ମଧ୍ୟ ସମୟ ବାହାର କରି ଅଧ୍ୟୟନ ଜାରି ରଖିଥିଲେ । ଆଉ ଶେଷରେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି । ସଦ୍ୟ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷାରେ ୨୪ତମ ରାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି ବ୍ରହ୍ମପୁର ସହରର ଗୋସାଇଁନୂଆଗାଁ ନିବାସୀ ମାଆ ଟି.ରାଜେଶ୍ୱରୀ ପାତ୍ର ଓ ବାପା ଟି. କୃଷ୍ଣଚନ୍ଦ୍ର ପାତ୍ରଙ୍କ ମଝିଆଁ ପୁଅ ଟି.ନରସିଂହ ପାତ୍ର (୨୮) ।ଚତୁର୍ଥ ପ୍ରୟାସରେ ୨୪ତମ ସ୍ଥାନ। ନରସିଂହ ପୂର୍ବରୁ ୩ ଥର OCS ପରୀକ୍ଷା ଦେଇଥିଲେ । ଏହା ତାଙ୍କର ୪ର୍ଥ ପ୍ରୟାସ ଥିଲା । ତେବେ ଗତବର୍ଷ OCS ପରୀକ୍ଷାରେ ନରସିଂହ ୮୭ତମ ସ୍ଥାନ ହାସଲ କରି ରେଭେନ୍ୟୁ ସର୍ଭିସ ପାଇଥିଲେ ନରସିଂହ । କିନ୍ତୁ ସେ ପୁଣିଥରେ ଉଦ୍ୟମ କରି ଚଳିତବର୍ଷ ୨୪ତମ ସ୍ଥାନ ହାସଲ କରିଛନ୍ତି ।ଟି.ନରସିଂହ ପାତ୍ର କହିଛନ୍ତି, “ବିଦ୍ୟାର୍ଥୀମାନେ ସେମାନଙ୍କ ଲକ୍ଷ୍ୟ ଧାର୍ଯ୍ୟ କରି ପରିଶ୍ରମ କରି ଚାଲିଲେ ସଫଳତା ନିଶ୍ଚିତ ମିଳିବ ।ନରସିଂହଙ୍କ ଛାତ୍ର ସମୟରେ ସଂସଦରେ ଏକ କାର୍ଯ୍ୟକ୍ରମରେ ଇଂରାଜୀ ଭାଷାରେ ବକୃତା ପାଇଁ ଚୟନ ହୋଇ ରାଜ୍ୟରେ ଅନେକ ପ୍ରଶଂସା ପାଇଥିଲେ । ବ୍ରହ୍ମପୁର ସହରର ଖଲ୍ଲିକୋଟ ମହାବିଦ୍ୟାଳୟ ଓ ବିନାୟକ ମହାବିଦ୍ୟାଳୟରୁ ଶିକ୍ଷା ସାରି B.Ed କଲେଜରୁ କୃତକାର୍ଯ୍ୟ ହୋଇଥିଲେ । ପରେ ଶିକ୍ଷକତା ଜୀବନ ଆରମ୍ଭ ହୋଇଥିଲା । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ପଞ୍ଚମା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବରେ କାର୍ଯ୍ୟ କରି ଆସୁଥିଲେ । ଶିକ୍ଷକତା ସମୟରେ ନରସିଂହଙ୍କୁ ଜଣେ ଆଦର୍ଶ ଶିକ୍ଷକ ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଏପରିକି ପୂର୍ବରୁ ନରସିଂହ ରାଜସ୍ବ ନିରୀକ୍ଷକ, କନିଷ୍ଠ ରାଜସ୍ବ ସହାୟକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।ଶିକ୍ଷକତା ସହ ଦୈନିକ ୪ରୁ ୫ ଘଣ୍ଟା ପଢ଼ୁଥିଲେ । ସ୍କୁଲକୁ ଯିବା ପୂର୍ବରୁ ସକାଳେ ୨ ଘଣ୍ଟା ଓ ଶିକ୍ଷକତା କାର୍ଯ୍ୟ ସରି ଘରକୁ ଫେରିବା ପରେ ପୁଣି ୨ ଘଣ୍ଟା ପଢ଼ାପଢ଼ି କରନ୍ତି । OCS ପରୀକ୍ଷା ପାଇଁ ଦୈନିକ ପ୍ରାୟ ୪ରୁ ୫ ଘଣ୍ଟା ପରିଶ୍ରମ କରୁଥିଲେ । ଏଥିପାଇଁ ସେ କୌଣସି ସ୍ଥାନରେ ନିର୍ଦ୍ଦିଷ୍ଟ ଭାବରେ କୋଚିଂ ନେଇ ନଥିଲେ । ନିଜ ଲକ୍ଷ୍ୟ ପୂରଣ ପାଇଁ ସେ ନିଜସ୍ବ ଉଦ୍ୟମ କରି ସଫଳତା ହାସଲ କରିଛନ୍ତି । ଶିକ୍ଷକତା ସମୟରେ ସାଧାରଣ ଲୋକଙ୍କ ସମସ୍ତ ବିଷୟକୁ ଅତି ନିକଟରୁ ଦେଖିଛନ୍ତି । ପ୍ରଶାସନିକ ଅଧିକାରୀ ଭାବରେ ସେହି ଅନୁଭୂତି ତାଙ୍କୁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ