ଅବ୍ୟବସ୍ଥାରେ ନୂଆଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଡାକ୍ତର ଓ କର୍ମଚାରୀଙ୍କ ମରୁଡ଼ି, ରୋଗୀ ହନ୍ତସନ୍ତ, ନୂତନ ନିର୍ମିତ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ କାର୍ଯ୍ୟକ୍ଷମ କରିବାକୁ ଦାବି ।ଗଜପତି;୧୮/୫(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ନୂଆଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅବ୍ୟବସ୍ଥାରେ ଚାଲିଥିବା ଅଭିଯୋଗ ହେଉଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ପଡ଼ିଛି ମରୁଡ଼ି ଚିନ୍ତାର ବିଷୟ ପାଲଟିଛି । ନା ଅଛନ୍ତି ଡାକ୍ତର ନା ଅଛନ୍ତି ସେବିକା(ନର୍ସ)। କେବଳ ଅଛନ୍ତି ଫାର୍ମାଷ୍ଟିଷ୍ଟ ଏବଂ ଏଲଟି। ଏମାନଙ୍କ ଦ୍ଵାରା ଚାଲିଛି ରୋଗୀ ସେବା। ତେଣୁ ରୋଗୀ ହନ୍ତସ୍ତନ ହେଉଥିବା ଅଭିଯୋଗ ହେଉଛି। ଅକସ୍ମାତ କାହାର ଦେହ ଅସୁସ୍ଥ ହେଲେ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ରୋଗୀ । ବାଧ୍ୟ ହୋଇ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଚିକିତ୍ସା ହେଉଥିବା କହିଛନ୍ତି ଲୋକେ। ଏଥି ସହ ଅନ୍ତ ବିଭାଗରେ ରହି ଚିକିତ୍ସା ହେବା ସମୟରେ ଶୌଚାଳୟ ଏବଂ ପାଣିର ବ୍ୟବସ୍ଥା ନଥିବାରୁ ରୋଗୀ ଓ ସମ୍ପର୍କୀୟ ବହୁ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ନୂତନ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ କରାଯାଇଛି। କିନ୍ତୁ ତାହା ନିର୍ମିତ ହୋଇ ବର୍ଷ ବର୍ଷ ବିତିଗଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, ସେବିକା ନିଯୁକ୍ତି ସହ ନୂତନ ଭାବେ ନିର୍ମିତ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରିଛନ୍ତି ସ୍ଥାନୀୟ ଯୁବ ଗୋଷ୍ଠୀ ଏବଂ ଅଞ୍ଚଳ ବାସି। ବ୍ଲକ ସଦର ମହକୁମାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରହି ଥିବାରୁ ଏହି ଉପରେ ନିର୍ଭର କରି ପାଖାପାଖି ଲୁହାଙ୍ଗର, ପି .ଅନ୍ତରଡା, କେରେଡାଙ୍ଗ, ନୂଆଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଏବଂ ବ୍ଲକକୁ ଲାଗିରହିଥିବା ଅନ୍ୟ ଜିଲ୍ଲା ଓ ବ୍ଲକର କେତେକ ଲୋକେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ନିତି ଏଠାକୁ ଆସିଥାନ୍ତି କିନ୍ତୁ ଡାକ୍ତର ଏବଂ କର୍ମଚାରୀଙ୍କ ମରୁଡ଼ି ଥିବାରୁ ରୋଗୀ ଏବଂ ପରିଜନ ଅସନ୍ତୋଷ ହୋଇ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସା ହେଉଥିବା କହିଛନ୍ତି। ସୂଚନା ପ୍ରକାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଆକାଂକ୍ଷା ଅନିରିମା ନିଯୁକ୍ତି ପାଇ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ତାଙ୍କର ବଦଳି ପରେ ସ୍ଥାଇ ଡାକ୍ତର ନାହାନ୍ତି। ତେଣୁ ଡାକ୍ତର ନିଯୁକ୍ତି ଏବଂ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳଙ୍କ ଜନଶୁଣାଣୀ ଏବଂ ପଞ୍ଚାୟତ ଜନ ଶୁଣାଣୀରେ ଅଭିଯୋଗ ମଧ୍ୟ କରିଥିବା କହିଛନ୍ତି ସ୍ଥାନୀୟ ଯୁବ ଗୋଷ୍ଠୀ। ଏବିଷୟ ନେଇ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତ୍ରିଶୂଳ ସେନାପତିଙ୍କୁ ପଚାରିବାରୁ ଖେରେଡାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସପ୍ତାହରେ ୩ଦିନ ଏବଂ ସେହି ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ୩ ଦିନ ରୋଗୀସେଵ ଯୋଗାଇ ଆସୁଛନ୍ତି। ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ପରେ ତତ୍ପବଧାନ ନିମନ୍ତେ ପୂର୍ଣ୍ଣ କର୍ମଚାରୀ ନଥିବାରୁ ଏହା ବନ୍ଦ ରହିଥିବା କହିଛନ୍ତି।
ଏବଂ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଯଥା ଶୀଘ୍ର ଏହାର ସ୍ଥାଇ ସମାଧାନ ନିମନ୍ତେ ଚେଷ୍ଟା କରିବାକୁ କହିଛନ୍ତି।
