ରାମନାଗୁଡ଼ାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ରାୟଗଡ ( info media) ମାନସିକ ସ୍ୱାସ୍ଥ୍ୟ ହେଉଛି ସୁସ୍ଥ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଶାରୀରିକ ସ୍ୱାସ୍ଥ୍ୟ ପରି ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ। ମାନସିକ ସମସ୍ୟାକୁ ନେଇ ସମାଜରେ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବା, ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହାନୁଭୂତିଶୀଳ ମନୋଭାବ ସୃଷ୍ଟି କରିବା ଏବଂ ସେମାନଙ୍କ ଆଇନଗତ ଅଧିକାର ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।ଗୁଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ସଚେତନତା ଶିବିରରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ଆଇନଗତ ସୁରକ୍ଷା ଓ ଉପଲବ୍ଧ ସେବା ସମ୍ପର୍କରେ ଅବଗତ କରାଯାଇଥିଲା କାର୍ଯ୍ୟକ୍ରମରେ ଗୁଣପୁର ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଦେବଦତ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୁଣପୁର ଏସ୍.ଡି.ଜେ.ଏମ୍. ବିଜୟଲକ୍ଷ୍ମୀ ମହାପାତ୍ର, ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭିଷେକ ପଟ୍ଟନାୟକ, ବି.ଡି.ଓ. ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ଡା. ପ୍ରାଣକୃଷ୍ଣ ପାଣିଗ୍ରାହୀ ଏବଂ ରାମନାଗୁଡ଼ା ଥାନା ଅଧିକାରୀ କିରଣବାଳା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଅତିଥିମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଲୁଚାଇ ନ ରଖି ଉପଯୁକ୍ତ ଚିକିତ୍ସା ଓ ପରାମର୍ଶ ଗ୍ରହଣ କରିବା, ମାନସିକ ରୋଗୀଙ୍କ ପ୍ରତି ଭେଦଭାବ ନ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସମ୍ମାନର ସହ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ମାନସିକ ସ୍ୱାସ୍ଥ୍ୟ ସେବା ପାଇବାର ଅଧିକାର ଓ ଏଥିସହ ଜଡ଼ିତ ଆଇନଗତ ବ୍ୟବସ୍ଥା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା କେବଳ ସଚେତନତା ସଭାରେ ସୀମିତ ନ ରହି ମାନବିକ ସେବାର ଏକ ଉଦାହରଣ ସୃଷ୍ଟି କରିଥିଲା ଆୟୋଜକ ସମିତି। ଏହି ଅବସରରେ ସମିତିର ସଦସ୍ୟମାନେ ସ୍ଥାନୀୟ ଡାକ୍ତରଖାନାକୁ ଯାଇ ଚିକିତ୍ସାଧୀନ ରୋଗୀମାନଙ୍କୁ ଭେଟିବା ସହ ସେମାନଙ୍କ ସହ ଭାବବିନିମୟ କରିଥିଲେ। ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇ ସେମାନଙ୍କ ପ୍ରତି ସହାନୁଭୂତି, ସ୍ନେହ ଓ ସହଯୋଗର ବାର୍ତ୍ତା ପ୍ରଦାନ କରିଥିଲା।କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଏ.ଏନ୍.ଏମ୍.ମାନେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଏବଂ ଜନସାଧାରଣଙ୍କୁ ସଚେତନ କରିବାରେ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ସମ୍ପର୍କରେ ଅବଗତ ହୋଇଥିଲେ। ଗ୍ରାମାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସଚେତନତା ବଢ଼ାଇବା ଏବଂ ଆବଶ୍ୟକ ସମୟରେ ଲୋକଙ୍କୁ ଉପଯୁକ୍ତ ସେବା ସହ ଯୋଡ଼ିବାରେ ସେମାନଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଗୁଣପୁର ଓକିଲ ସଂଘର ସଭାପତି ରମେଶ ଚନ୍ଦ୍ର ଲିମା କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଡl. ଭାଗବତ ପ୍ରସାଦ ପାଢ଼ୀ ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
