ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିଦ୍ୟୁତ୍ ପୁନଃସ୍ଥାପନ କାର୍ଯ୍ୟର ସମୀକ୍ଷା କଲେ ଟିପିଏସ୍ଓଡିଏଲ୍ ସିଇଓଆସିକା, ଶେରଗଡ଼ ଓ ସାନଖେମୁଣ୍ଡିରେ ସ୍ଥିତି ଅନୁଧ୍ୟାନ; ଶୀଘ୍ର ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ
ବ୍ରହ୍ମପୁର, ନଭେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ ବରିଷ୍ଠ ଅଧିକାରୀଙ୍କ ସହ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରଭାବିତ ଆସିକା, ଶେରଗଡ଼ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରି ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କାର୍ଯ୍ୟର ସମୀକ୍ଷା କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।ଗସ୍ତ ସମୟରେ ଶ୍ରୀ ଗର୍ଗ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେମାନେ ସାମ୍ନା କରିଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସେ ବିଦ୍ୟୁତ୍ ପୁନଃସ୍ଥାପନ କାର୍ଯ୍ୟରେ ନିୟୋଜିତ ଆଗଧାଡ଼ିର କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରି କାର୍ଯ୍ୟ ସମୟରେ ସେମାନେ ସାମ୍ନା କରୁଥିବା ଆହ୍ୱାନ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଆଲୋଚନା ମାଧ୍ୟମରେ କ୍ଷେତ୍ରସ୍ତରରେ ଆବଶ୍ୟକତାଗୁଡ଼ିକୁ ଆକଳନ କରିବା ସହ ବିଦ୍ୟୁତ୍ ଯୋଗାଣ ଶୀଘ୍ର ସ୍ୱାଭାବିକ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜଳବନ୍ଦୀ ସ୍ଥିତି, ରାସ୍ତାରେ ପଡ଼ିଥିବା ଗଛ ଓ ଅନ୍ୟାନ୍ୟ ଆବର୍ଜନା ତଥା ଦୁର୍ଗମ ସ୍ଥାନରେ କାର୍ଯ୍ୟ କରିବାର ଆହ୍ୱାନ ସତ୍ତ୍ୱେ କ୍ଷତିଗ୍ରସ୍ତ ବିଦ୍ୟୁତ୍ ବଣ୍ଟନ ଭିତ୍ତିଭୂମିର ମରାମତି ପାଇଁ କ୍ଷେତ୍ରୀୟ ଦଳଗୁଡ଼ିକ ନିରନ୍ତର କାର୍ଯ୍ୟ କରୁଛନ୍ତି। ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହୋଇଥିବା ବେଳେ ଅନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏହି କାର୍ଯ୍ୟ ଜାରି ରହିଛି।ଶ୍ରୀ ଗର୍ଗ କ୍ଷେତ୍ରସ୍ତରରେ ଉତ୍ତମ ସମନ୍ୱୟ ରକ୍ଷା, ଉପଭୋକ୍ତାଙ୍କ ସମସ୍ୟାର ତୁରନ୍ତ ସମାଧାନ ଏବଂ ସୁରକ୍ଷା ନିୟମାବଳୀର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଟିପିଏସ୍ଓଡିଏଲ୍ ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ବାତ୍ୟା ପ୍ରଭାବିତ ସମସ୍ତ ଉପଭୋକ୍ତାଙ୍କ ନିକଟରେ ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କରିବା ଦିଗରେ ପ୍ରତିବଦ୍ଧତାର ସହ କାର୍ଯ୍ୟ ଜାରି ରଖିଛି।
