ନିଶାମୁକ୍ତ ଭାରତ ଅଭିଯାନରେ ଚାଷୀଙ୍କୁ ଫଳ, ଫୁଲ ଓ ଅର୍ଥକରୀ ଫସଲର ଚାରା ଏବଂ ବିହନ ବଣ୍ଟନ
ନିଶାମୁକ୍ତ ଭାରତ ଅଭିଯାନରେ ଚାଷୀଙ୍କୁ ଫଳ, ଫୁଲ ଓ ଅର୍ଥକରୀ ଫସଲର ଚାରା ଏବଂ ବିହନ ବଣ୍ଟନ
ରାୟଗଡ( info media)ନିଶାମୁକ୍ତ ସମାଜ ଗଠନ ସହ ଚାଷୀଙ୍କ ଜୀବିକାକୁ ସୁଦୃଢ଼ ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଓ କୃଷି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଚନ୍ଦ୍ରପୁର ବ୍ଲକ ବୁଡୁବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗାର୍ଡେନଭଟା ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଚିହ୍ନଟ ପରେ ସ୍ଥାନୀୟ ଚାଷୀଙ୍କୁ ଏହି ଚାଷରୁ ଦୂରେଇ ରହି ବିକଳ୍ପ ଓ ଲାଭଜନକ କୃଷି କାର୍ଯ୍ୟକଳାପ ଆପଣାଇବାକୁ ପ୍ରୋତ୍ସାହିତ କରାଯାଇଛି।
କାର୍ଯ୍ୟକ୍ରମରେ ଚାଷୀଙ୍କୁ ଫଳ ଚାଷ, ପନିପରିବା ଚାଷ, ଫୁଲ ଚାଷ ଓ ବିଭିନ୍ନ ଅର୍ଥକରୀ ଫସଲ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଓ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଭିଭିଜି ରା ମ ଓ ଓଲମ ପକ୍ଷରୁ ଆମ୍ବ, ପଣସ, ପିଜୁଳି, ଅଁଳା ଆଦି ଫଳ ଚାରା, ବିଭିନ୍ନ ପ୍ରଜାତିର ଫୁଲ ଚାରା, ମୁଗ ଓ ବିରି ଭଳି ଅର୍ଥକରୀ ଫସଲର ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। ଏଥିସହ ଉନ୍ନତ କୃଷି ପଦ୍ଧତି, ଚାଷର ରକ୍ଷଣାବେକ୍ଷଣ ଓ ଆୟବୃଦ୍ଧିର ବିଭିନ୍ନ ସମ୍ଭାବନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲ୍ଲୀପ ଯୋଗଦେଇ ଗଞ୍ଜେଇ ଚାଷର କୁପ୍ରଭାବ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିଥିଲେ। ଗଞ୍ଜେଇ ଚାଷ କେବଳ ଚାଷୀ ଓ ତାଙ୍କ ପରିବାରର ଭବିଷ୍ୟତକୁ ପ୍ରଭାବିତ କରେ ନାହିଁ, ବରଂ ସମାଜର ସୁସ୍ଥତା ଓ ନୈତିକ ମୂଲ୍ୟବୋଧକୁ ମଧ୍ୟ କ୍ଷତିଗ୍ରସ୍ତ କରେ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାର ବିକଳ୍ପ ଭାବେ ଫଳ, ଫୁଲ, ପନିପରିବା ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ଆପଣାଇ ଆର୍ଥିକ ସ୍ୱାବଲମ୍ବନ ହାସଲ କରିବାକୁ ସେ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ।
ଗଞ୍ଜେଇ ଚାଷରୁ ଦୂରେଇ ରହି ସକାରାତ୍ମକ ଓ ଜୀବନମୁଖୀ କୃଷି ପଦ୍ଧତି ଆପଣାଇବାକୁ ଆଗେଇ ଆସିଥିବା ଚାଷୀଙ୍କୁ ଉପଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ। ଏହି ପରିବର୍ତ୍ତନ ଆଗାମୀ ଦିନରେ ଅଞ୍ଚଳର କୃଷି ଅର୍ଥନୀତିକୁ ସୁଦୃଢ଼ କରିବା ସହ ଏକ ନିଶାମୁକ୍ତ ଓ ସମୃଦ୍ଧ ସମାଜ ଗଠନରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା।
ଏହି ସଚେତନତା ଓ ଚାରା-ବିହନ ବଣ୍ଟନ କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ, ପୋଲିସ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ଓଲମ ର କର୍ମଚାରୀମାନେ ଉପସ୍ଥିତ ରହି ନିଶାମୁକ୍ତ ଭାରତ ଅଭିଯାନର ‘ନିଶାକୁ ନା’ ବାର୍ତ୍ତାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ସହ ଚାଷୀଙ୍କୁ ବିକଳ୍ପ ଜୀବିକା ଗଠନରେ ସହଯୋଗ କରିଥିଲେ।
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
