*ପ୍ଲାଷ୍ଟିକ ବର୍ଜ୍ୟରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ ନେଇ ସଚେତନତା କାର୍ଯ୍ୟକ୍ରମ ।
ଗଜପତି,୧୯.୯(ମନୋଜ ପାଢ଼ୀ) :-ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ଏଥିରୁ ଇନ୍ଧନ ତଥା ଶକ୍ତି ଉତ୍ପାଦନ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଶନିବାର ସ୍ଥାନୀୟ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ‘ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ’ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ଲାଷ୍ଟିକ ଆବର୍ଜନାର ସଂଗ୍ରହ, ପୁନଃବ୍ୟବହାର, ପୁନଃଉପଯୋଗ ଓ ପୁନଃଚକ୍ରଣ ମାଧ୍ୟମରେ କିପରି ଏହାର ସୁପରିଚାଳନା କରାଯାଇପାରିବ, ସେନେଇ ଛାତ୍ରଛାତ୍ରୀମାନେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।ଏଥି ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଶକ୍ତି ଓ ଇନ୍ଧନ ଉତ୍ପାଦନର ସମ୍ଭାବନା, ଏହାର ଆର୍ଥିକ ଉପଯୋଗିତା ଓ ସାମାଜିକ ଲାଭ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରକ୍ରିୟା ପ୍ଲାଷ୍ଟିକ ଆବର୍ଜନାର ସୁପରିଚାଳନା ସହ ପରିବେଶ ସୁରକ୍ଷାରେ ସହାୟକ ହୋଇପାରିବ ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଥିଲେ।ଅଙ୍ଗନୱାଡ଼ି କର୍ମୀ ନାଗାମା କୋରାଇ ଓ ଆଶା କର୍ମୀ ସୁନିତା ଚିନ୍ତାଡ଼ାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଥିଲା।ପ୍ରକାଶ ଥାଉକି, ଆଗାମୀ ଦିନରେ ଆୟୋଜିତ ହେବାକୁଥିବା ଜିଲ୍ଲାସ୍ତରୀୟ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀମାନେ ଏହି ପ୍ରକଳ୍ପଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି।
