ଜିଲ୍ଲା ସ୍ତରୀୟ ଧାନ କ୍ରୟ ସମିତିର ବୈଠକ
ରାୟଗଡ, ତା: ୨୨-୦୪ ୨୦୨୬ରିଖ ରାୟଗଡରେ କେଏମଏସ (ରବି ଧାନ) ୨୦୨୫-୨୬ ଅବଧି ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ ସମିତିର ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ଜିଲ୍ଲାପାଳ ରାୟଗଡ ରମେଶ କୁମାର ଜେନା, ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଆଭିଷେକ ଦୀଲିପ, କୋରାପୁଟ ସାଂସଦ ପ୍ରତିନିଧି, ରାୟଗଡ ବିଧାୟକ ପ୍ରତିନିଧି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ଉପ ନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ସହିତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ସମସ୍ତ ବ୍ଲକରେ ସୁଚାରୁ ଧାନ କ୍ରୟ ପ୍ରକ୍ରିୟା ପାଇଁ ସମନ୍ୱୟରେ କାମ କରିବାକୁ ସମ୍ମତି ପ୍ରକାଶ ପାଇଥିଲା। ବୈଠକରେ ରବି ଧାନ ଉତ୍ପାଦନ, ହାର୍ଭେଷ୍ଟ ସମୟସୂଚୀ ଏବଂ ସୁଚାରୁ ଧାନ କ୍ରୟ ପ୍ରକ୍ରିୟା ସମ୍ପର୍କରେ ମୁଖ୍ୟ ଆଲୋଚନା ହୋଇଥିଲା। କୃଷି ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରେ ମୋଟ ୭୧୬୫.୯୧ ଏକର ଜମିରେ ରବି ଧାନ ଚାଷ ହୋଇଥିବା ବେଳେ ପ୍ରାୟ ୧,୫୮,୧୭୭.୭୫ କ୍ୱିଣ୍ଟାଲ ଧାନ ଉତ୍ପାଦନ ହେବାକୁ ଅନୁମାନ କରାଯାଇଛି। ପଦ୍ମପୁର ବ୍ଲକରେ ସର୍ବାଧିକ ୫୧୮୯.୧୦ ଏକର ଚାଷ ହୋଇଥିବା ସହ ୧,୧୫,୫୦୧.୫୮ କ୍ୱିଣ୍ଟାଲ ଧାନ ଉତ୍ପାଦନ ହେବାକୁ ଅନୁମାନ ରହିଛି। ଗୁଡାରି, ମୁନିଗୁଡା, ରାମନଗୁଡା ଓ କାଶିପୁର ଭଳି ବ୍ଲକଗୁଡିକରେ ମଧ୍ୟ ଲକ୍ଷଣୀୟ ଉତ୍ପାଦନ ଆଶା କରାଯାଇଛି। ଜିଲ୍ଲାପାଳ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଚାଷୀମାନଙ୍କୁ ସୁବିଧା ଦେବା ନିମନ୍ତେ ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସମୟବଦ୍ଧ କରିବା ଅତ୍ୟାବଶ୍ୟକ। ସେ ମଣ୍ଡିଗୁଡିକର ଅବସ୍ଥା ଉନ୍ନତି ପାଇଁ ତୁରନ୍ତ ମରାମତି କାର୍ଯ୍ୟ ହାତେଇବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା ଧାନ ସଂରକ୍ଷଣରେ କୌଣସି ସମସ୍ୟା ନ ହେଉ। ଏହାସହିତ ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି, ପାନୀୟଜଳ, ଆଲୋକ ବ୍ୟବସ୍ଥା ଓ ଚାଷୀ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଜୋର ଦେଇଥିଲେ। ଏହାସହିତ ବୈଠକରେ ଜଣାଇ ଦିଆଯାଇଥିଲା ଯେ ଚାଷୀମାନଙ୍କର ନିବନ୍ଧନ ପ୍ରକ୍ରିୟା ରାୟଗଡା ସବଡ଼ିଭିସିଜନ ଆସନ୍ତା ୨୦ ମେ ଠାରୁ ଓ ଗୁଣୁପୁର ସବଡ଼ିଭିସିଜନ ୨୭ ମେ ଠାରୁ ଆରମ୍ଭ ହେବ।
ଏହା ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା।
