**ଜଙ୍ଗଲରେ ଲୁଚାଇ ରଖାଯାଇଥିଲା ୩୭୫ କିଲୋ ଗଞ୍ଜେଇ; ଅଡବା ପୋଲିସର ଚଢ଼ାଉ ।
ଗଜପତି,୮ ସେପ୍ଟେମ୍ବର(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଅଡବାପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଅଡବା ଥାନା ଅଧୀନ ଶିଆଳିଲଟି ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ପୋଲିସ ୩୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଅଜଣା ଚୋରାଚାଲାଣକାରୀମାନେ ଜଙ୍ଗଲ ମଧ୍ୟରେ ଏହି ବିପୁଳ ପରିମାଣର ଗଞ୍ଜେଇକୁ ଲୁଚାଇ ରଖିଥିବା ବେଳେ ପୋଲିସ ଚଢ଼ାଉରେ ଏହା ଧରାପଡ଼ିଛି।ପୋଲିସ ସୂଚନା ଅନୁଯାୟୀ, ନିୟମିତ ପାଟ୍ରୋଲିଂ ସମୟରେ ମିଳିଥିବା ଏକ ବିଶେଷ ସୂଚନା ଆଧାରରେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ୫୦ ମିନିଟ୍ରେ ଏସ୍ଆଇ ସୌମ୍ୟରଞ୍ଜନ ବରାଳଙ୍କ ନେତୃତ୍ୱରେ ପୋଲିସ ଦଳ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲା। ତଲାସି ବେଳେ ଏକ ପରିତ୍ୟକ୍ତ ଓ ନିଛାଟିଆ ସ୍ଥାନରୁ ୧୫ଟି ପ୍ଲାଷ୍ଟିକ ଜେରି ବ୍ୟାଗ ଜବତ କରାଯାଇଥିଲା। ବ୍ୟାଗଗୁଡ଼ିକ ଭିତରେ ଗଞ୍ଜେଇ ଭର୍ତ୍ତି ଥିବା ଜଣାପଡ଼ିଥିଲା।ତହସିଲଦାର ତଥା ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରଧର ପାଢ଼ୀଙ୍କ ଉପସ୍ଥିତିରେ ଜବତ ସାମଗ୍ରୀର ଓଜନ କରାଯାଇଥିଲା। ସମସ୍ତ ୧୫ଟି ବ୍ୟାଗର ମୋଟ ଓଜନ ୩୭୬ କିଲୋ ୫୦୦ ଗ୍ରାମ ହୋଇଥିବା ବେଳେ ନିଟ୍ ଗଞ୍ଜେଇର ଓଜନ ୩୭୫ କିଲୋଗ୍ରାମ ଥିବା ସ୍ପଷ୍ଟ ହୋଇଥିଲା। ପରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ସମସ୍ତ ଆନୁଷ୍ଠାନିକତା ସମ୍ପନ୍ନ କରାଯାଇ ଜବତ ଗଞ୍ଜେଇକୁ ସିଲ୍ କରାଯାଇଥିଲା।ଏହି ଘଟଣାରେ ଆଡଭା ଥାନା କେସ୍ ନଂ–୧୯୦/୨୦୨୬ ଅନୁଯାୟୀ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(ସି)ରେ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜବତ ଗଞ୍ଜେଇ କେଉଁଠାରୁ ଆସିଥିଲା, କେଉଁଠାକୁ ଚାଲାଣ ହେବାର ଯୋଜନା ଥିଲା ଏବଂ ଏହା ପଛରେ କାର୍ଯ୍ୟ କରୁଥିବା ଚୋରାଚାଲାଣ ଚକ୍ର କିଏ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।ଉଲ୍ଲେଖଯୋଗ୍ୟ ଯେ, ଗଜପତି ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣକୁ ନେଇ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲଗାତାର ଅଭିଯାନ ଚାଲିଛି। ଏହି ଜବତି ସେହି ଅଭିଯାନକୁ ଆଉ ଏକ ବଡ଼ ସଫଳତା ଦେଇଥିବା ବେଳେ ଚୋରାଚାଲାଣକାରୀଙ୍କ ମନରେ ଛନକା ପଶିଥିବା କୁହାଯାଉଛି।
