୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ ।

୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ ।

*୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ ।

ଗଜପତି,୮.୯(ମନୋଜ ପାଢ଼ୀ) :- ୧୬ ଲକ୍ଷ ଟଙ୍କା ଧାର ନେଇ ଫେରସ୍ତ ନକରିବା, ଚେକ୍ ବାଉନ୍ସ ଏବଂ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଜାଲୁମୁରୁ ଥାନା ଅନ୍ତର୍ଗତ ଜଗନ୍ନାଥପୁରମ ଗ୍ରାମର ସ୍ୱର୍ଗତ ଦିଲେଶ୍ୱର ରାଓଙ୍କ ପୁତ୍ର କେଲି ଉଦୟ କୁମାର (୩୫) ବର୍ଷ ବୋଲି ସୂଚନା ପ୍ରଦାନ କରାଯାଇଛି।ଅଭିଯୋଗରୁ ଜଣାପଡିଛି ଯେ ଅଭିଯୁକ୍ତ କେଲି ଉଦୟ କୁମାର ଓ ଅଭିଯୋଗକାରୀ ପୁନା ମୋହନ ରାଓ (୩୯) ପରସ୍ପରଙ୍କୁ ପୂର୍ବରୁ ଜାଣିଥିଲେ। ଏହି ପରିଚୟର ସୁଯୋଗ ନେଇ ଅଭିଯୁକ୍ତ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ନାମରେ ଅଭିଯୋଗକାରୀଙ୍କୁ ୧୬ ଲକ୍ଷ ଟଙ୍କା ଯୋଗାଡ଼ କରିଦେବାକୁ କହିଥିଲେ। ଅଭିଯୁକ୍ତଙ୍କ ପ୍ରତିଶ୍ରୁତି ଉପରେ ଭରସା କରି ଅଭିଯୋଗକାରୀ ନିଜ ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କଠାରୁ ଟଙ୍କା ସଂଗ୍ରହ କରି ଅଭିଯୁକ୍ତଙ୍କୁ ପ୍ରଦାନ କରିଥିବା ବେଳେ ଅଭିଯୁକ୍ତ ଏହି ଟଙ୍କାକୁ ୧୫ ପ୍ରତିଶତ ସୁଧ ସହିତ ଫେରସ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୨୪ ଜୁନ୍ ଓ ୩୦ ଜୁନ୍ ୨୦୨୫ରେ ପାରଳାଖେମୁଣ୍ଡିର ନୋଟାରୀ ଶଶାଙ୍କ ଶେଖର ସାବତଙ୍କ ସମ୍ମୁଖରେ ଦୁଇଟି ପ୍ରତିଶ୍ରୁତି ପତ୍ର ମଧ୍ୟ କରାଯାଇଥିବା ପୋଲିସ କହିଛି। ଏହା ସହିତ ଅଭିଯୁକ୍ତ ଦୁଇଟି ଚେକ୍ ମଧ୍ୟ ପ୍ରଦାନ କରିଥିଲେ।ପରେ ଚେକ୍‌ଗୁଡ଼ିକୁ ବ୍ୟାଙ୍କରେ ଜମା କରାଯିବା ପରେ ଅଭିଯୁକ୍ତଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ଚେକ୍‌ଗୁଡ଼ିକ ବାଉନ୍ସ ହୋଇ ଯାଇଥିଲା। ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ଟଙ୍କା ଫେରାଇନଥିବା ଏବଂ ପରେ ନିଜ ଜନ୍ମସ୍ଥାନରୁ ପଳାଇଯାଇ ଅଭିଯୋଗକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।ମାମଲାର ତଦନ୍ତ ସମୟରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନ ବିଏନ୍‌ଏସ୍‌ଏସ୍‌ର ଧାରା ୧୮୦ ଅନୁଯାୟୀ ରେକର୍ଡ କରିଥିଲା। ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ବିଭିନ୍ନ ଦଲିଲ ମଧ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ଜବତ କରାଯାଇଥିଲା।ତଦନ୍ତରୁ ଅଭିଯୁକ୍ତଙ୍କ ବିରୋଧରେ ବିଏନ୍‌ଏସ୍‌ ୨୦୨୩ର ଧାରା ୩୧୮(୨), ୩୧୬(୨) ଓ ୩୫୧(୨) ଅନୁଯାୟୀ କେସ୍ ନମ୍ବର ୦୫/୨୦୨୬ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ପ୍ରାଥମିକ ପ୍ରମାଣ ମିଳିବା ପରେ ପୋଲିସ ଆଇନଗତ ପ୍ରକ୍ରିୟା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରି ୦୮.୦୯.୨୦୨୬ ସକାଳ ପ୍ରାୟ ୯ଟା ୩୦ରେ କେଲି ଉଦୟ କୁମାରଙ୍କୁ ଗିରଫ କରିଥିଲା।ଗିରଫ ପରେ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପରେ ଆଇନ ଅନୁଯାୟୀ ତାଙ୍କୁ ୦୮.୦୯.୨୦୨୬ ସନ୍ଧ୍ୟାରେ ମାନ୍ୟବର ଅଦାଲତରେ ହାଜର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।