ଗଜପତିରେ ପୁଣି ଦାଦନ ଯନ୍ତ୍ରଣା….. ପ୍ରଶାସନର ସହାୟତା ମିଳିଲାନି, ଲୋକେ ଚାନ୍ଦା କରି ହାଇଦ୍ରାବାଦରୁ ଆଣିଲେ ଶବ ।
ଗଜପତି, 14/5(ମନୋଜ ପାଢ଼ୀ):ସରକାର ଦାଦନଙ୍କ ଦୁଃଖ ଦୂର କରିବାପାଇଁ କେତେ ଯୋଜନା କଲେ ମଧ୍ୟ ତାହା ଗଜପତି ଜିଲ୍ଲାରେ ଫେଲ ମାରିଛି, ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମରୁ ଦାଦନ ଖଟିବା ପାଇଁ ଯାଇଥିବା ବୁଲା ଗୁରୁ (35) ହାଇଦ୍ରାବାଦ ଠାରେ ମୃତ୍ୟୁବରଣ କରିଥିଲେ. ଆର୍ଥୀକ ଅନାଟନରେ ଥିବା ମୃତକ ଶ୍ରମିକଙ୍କ ପରିବାର ହାଇଦ୍ରାବାଦରୁ ଶବ ଫେରେଇ ଆଣିବାରେ ଅକ୍ଷମ ବୋଲି ପ୍ରଶାସନକୁ ଜଣାଇ ଅଞ୍ଚଳବାସୀ ଶବ ଆଣିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ ।ହେଲେ ପ୍ରଶାସନ ଶୁଣିଲାନି । ଗ୍ରାମବାସୀ ଏବଂ ହାଇଦ୍ରାବାଦରେ କାର୍ଯ୍ୟରତ ଶ୍ରମିକମାନେ ଚାନ୍ଦା କରି ଏକ ଭଡା ଗାଡ଼ିରେ ମୃତ ଶ୍ରମିକଙ୍କ ଶବକୁ ଗଜପତି ଆଣିଲେ । ଗତକାଲି ଶୋକାକୁଳ ପରିବେଶରେ ଶବକୁ ସତ୍କାର କରାଯାଇଛି । ମୃତ ଶ୍ରମିକଙ୍କ ଦୁଇ ଛୋଟ ପୁଅଙ୍କ ସହ ପତ୍ନୀ ରହିଛନ୍ତି । ବର୍ତ୍ତମାନ ଏମାନେ ଅନାଥ ହୋଇ ପଡିଛନ୍ତି ବୋଲି ଅଭିଯୋଗ କରି ସମ୍ପୃକ୍ତ ପରିବାରକୁ ବଂଚିବା ପାଇଁ ସରକାରୀ ସାହାର୍ଯ୍ୟ ଦିଆଯାଉ ବୋଲି ଗ୍ରାମବାସୀମାନେ ନିବେଦନ କରିଛନ୍ତି ।
