ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ବିଜେତା

ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ 'ଇଣ୍ଡିଆନ୍ ଆଇଡଲ୍ ୧୬'ର ବିଜେତା

ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ବିଜେତା

ମୁମ୍ବାଇ: ୧୦ ମାସର ଦୀର୍ଘ ସଙ୍ଗୀତ ଯାତ୍ରା ପରେ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ଗ୍ରାଣ୍ଡ ଫିନାଲେରେ ଓଡ଼ିଶାର ୨୪ ବର୍ଷୀୟା ଜ୍ୟୋତିର୍ମୟୀ ନାୟକ ବିଜେତା ହୋଇଛନ୍ତି। ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ, ଜ୍ୟୋତିର୍ମୟୀଙ୍କ ବିଜୟ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ସୃଷ୍ଟି କରିଛି।ଏହି ସିଜନର ବିଚାରକ ଭାବେ ଶ୍ରେୟା ଘୋଷାଲ୍, ବିଶାଲ୍ ଦଦଲାନି ଓ ବାଦଶା ଦାୟିତ୍ୱ ନିର୍ବାହ କରିଥିଲେ। ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମ୍‌କୁ ଦର୍ଶକଙ୍କ ବ୍ୟାପକ ସମର୍ଥନ ମିଳିଥିବାରୁ କାର୍ଯ୍ୟକ୍ରମକୁ ଅତିରିକ୍ତ ତିନି ମାସ ପର୍ଯ୍ୟନ୍ତ ବଢ଼ାଯାଇଥିଲା।ବିଜେତା ଭାବେ ଜ୍ୟୋତିର୍ମୟୀ ₹୨୦ ଲକ୍ଷ ନଗଦ ପୁରସ୍କାର ହାସଲ କରିଛନ୍ତି। ସେ କହିଛନ୍ତି ଯେ, ଏହି ସଫଳତାର ଶ୍ରେୟ ସଙ୍ଗୀତ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀଙ୍କୁ ଯାଏ, ଯେଉଁମାନେ ତାଙ୍କୁ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ଦେଇଛନ୍ତି।ନିଜ ଯାତ୍ରା ବିଷୟରେ ଜ୍ୟୋତିର୍ମୟୀ କହିଛନ୍ତି, “ମୁଁ ୧୪ ସେପ୍ଟେମ୍ବରରେ ମୁମ୍ବାଇ ଆସିଥିଲି। ପ୍ରାୟ ଗୋଟିଏ ବର୍ଷର ଏହି ଯାତ୍ରା ମୋ ପାଇଁ ସ୍ମରଣୀୟ ରହିବ। ମୁଁ କେବେ ପୁରସ୍କାର ରାଶି ବିଷୟରେ ଭାବିନଥିଲି। ମୋର ଲକ୍ଷ୍ୟ ଥିଲା କେବଳ ଭଲ ପ୍ରଦର୍ଶନ କରିବା ଏବଂ ବିଚାରକଙ୍କ ପ୍ରଶଂସା ପାଇବା। ଏବେ ପୁରସ୍କାର ରାଶିକୁ କିପରି ବ୍ୟବହାର କରିବି, ସେ ବିଷୟରେ ଚିନ୍ତା କରିବି।”ଓଡ଼ିଶାର ଝିଅଙ୍କ ଏହି ସଫଳତାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।