କାର୍ତ୍ତିକ ପୂର୍ଣ୍ଣିମାରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ

କାର୍ତ୍ତିକ ପୂର୍ଣ୍ଣିମାରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ

*କାର୍ତ୍ତିକ ପୂର୍ଣ୍ଣିମାରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ* ।

ଗଜପତି,୨୪.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ସଂସ୍କୃତି ସହିତ ପରିବେଶ ସଂରକ୍ଷଣର ଏକ ନିଆରା ବାର୍ତ୍ତା ପ୍ରଦାନ କରିଛନ୍ତି । “ସଂସ୍କୃତି ରକ୍ଷା, ପରିବେଶ ସୁରକ୍ଷା” ବିଷୟବସ୍ତୁକୁ ଆଧାର କରି ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏବଂ ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ବିଶ୍ୱଜିତ କୁମାର ମହନ୍ତଙ୍କ ଆହ୍ୱାନରେ ଏହି ସ୍ବଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ସ୍ବେଚ୍ଛାସେବୀମାନେ ସକାଳେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିଚ୍ଛୁରିତ ଭାବେ ପଡ଼ିଥିବା ଦୀପ, ଫୁଲ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀକୁ ସଂଗ୍ରହ କରି ଉପଯୁକ୍ତ ସ୍ଥାନରେ ରଖିଥିଲେ।ଏହି ଅଭିଯାନରେ ଜଗନ୍ନାଥ ସେବା ଦଳର ମୁଖ୍ୟ ଦୁର୍ଗା ମାଧବ ପାଣିଗ୍ରାହୀ, ପ୍ରଗତି ମହିଳା ସଙ୍ଗଠନର ସଭାପତି ଲୋକନାଥ ମିଶ୍ର, ଗିରିଶ ପାଳ, ବଜରଙ୍ଗ ଦଳର କୈଳାଶ ବିଶ୍ୱାଳ, ରାୟ ଗୋବିନ୍ଦ ରାଜୁ, ଗୌତମ ପାଢ଼ୀ, ପରିବେଶବିତ୍ ମନୋଜ ଦାଶଙ୍କ ସମେତ ଦୁର୍ଗାଶକ୍ତି ବାହିନୀର ସଦସ୍ୟ ଓ ସଦସ୍ୟାମାନେ ସାମିଲ ହୋଇଥିଲେ।ପରେ ସ୍ବେଚ୍ଛାସେବୀମାନେ ସଂସ୍କୃତି ରକ୍ଷାର ସ୍ଲୋଗାନ ଦେଇ ମହେନ୍ଦ୍ରତନୟା ନଦୀ ଘାଟରେ ପହଞ୍ଚି ସେଠାରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପରେ ଏଣେତେଣେ ପଡ଼ିଥିବା କାଗଜ, ସୋଲ ଡଙ୍ଗା, କଦଳୀ ପାଟୁକା ଓ ଅନ୍ୟାନ୍ୟ ଆବର୍ଜନା ସଫା କରି ନଦୀ ଘାଟକୁ ପରିଷ୍କାର କରିଥିଲେ।

ଏହା ପରେ ସଦାରାମ ପୋଖରୀରେ ମଧ୍ୟ ସଫେଇ କାର୍ଯ୍ୟ କରି ଜଳାଶୟଗୁଡ଼ିକର ସ୍ବଚ୍ଛତା ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ।ଏହି ଅଭିଯାନରେ ୪୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ସ୍ୱତଃସ୍ଫୂର୍ତ୍ତ ଭାବେ ଯୋଗଦେଇ ଶ୍ରମଦାନ କରିଥିଲେ। ପର୍ବପର୍ବାଣୀ ପାଳନ କେବଳ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ମଧ୍ୟରେ ସୀମିତ ନ ରହି ପରିବେଶ ପ୍ରତି ମଧ୍ୟ ଦାୟିତ୍ୱବୋଧ ସୃଷ୍ଟି କରିବା ଆବଶ୍ୟକ ବୋଲି ଏହି ଅଭିଯାନ ମାଧ୍ୟମରେ ସ୍ବେଚ୍ଛାସେବୀମାନେ ସମାଜକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲେ।