ଟିକାବାଲିଠାରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଅଭିଭାବକ ଓ ପ୍ରଧାନଶିକ୍ଷକଙ୍କ ଆନ୍ତର୍ନିବେଶି ମୂଳକ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଅନୁଷ୍ଠିତ
କନ୍ଧମାଳ : ( ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଶିକ୍ଷା ସମ୍ବଳ କେନ୍ଦ୍ର (BRC) ର ପ୍ରଶିକ୍ଷଣ ହଲ୍ଠାରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଅଭିଭାବକ ଓ ପ୍ରଧାନଶିକ୍ଷକମାନଙ୍କୁ ନେଇ ଆନ୍ତର୍ନିବେଶି ଶିକ୍ଷା ସମ୍ପର୍କିତ ଏକ ପ୍ରଶିକ୍ଷଣ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କହଁର ଓ ଶ୍ରୀମତୀ ବିନୋଦିନୀ ସାମଲ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀଯୁକ୍ତ ଶୁଭେନ୍ଦୁ ମହାପାତ୍ର, ଶ୍ରୀମତୀ ଅନିତା କୁମାରୀ ସାହୁ ଏବଂ କଇଁଝର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀଯୁକ୍ତ ଜୟପ୍ରକାଶ ପାତ୍ର ପରିଚାଳନା କରିଥିଲେ। ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ଓ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ହୋତା ସହଯୋଗ କରିଥିଲେ।ଆଲୋଚନାଚକ୍ରରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କୁ ଠିକ୍ ସମୟରେ ଚିହ୍ନଟ କରିବା, ସେମାନଙ୍କର ଶିକ୍ଷାଗତ ଆବଶ୍ୟକତା ଓ ସମସ୍ୟାଗୁଡ଼ିକୁ ବୁଝିବା, ଆବଶ୍ୟକୀୟ ସହାୟତା ଯୋଗାଇଦେବା ତଥା ସେମାନଙ୍କ ଶିକ୍ଷାର ନିରନ୍ତର ଅଗ୍ରଗତି ନିମନ୍ତେ ବିଭିନ୍ନ ପ୍ରତିକାରମୂଳକ ଓ ସହାୟତାମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏଥିସହିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ଶିକ୍ଷାଦାନରେ ଅଭିଭାବକ ଓ ପ୍ରଧାନଶିକ୍ଷକମାନଙ୍କ ଭୂମିକା, ବିଦ୍ୟାଳୟରେ ସମାନ ସୁଯୋଗ ସୃଷ୍ଟି ଏବଂ ସମସ୍ତ ଶିକ୍ଷାର୍ଥୀଙ୍କୁ ମୁଖ୍ୟଧାରାର ଶିକ୍ଷା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅତିଥି, ଗୁରୁଜନ, ଅଭିଭାବକ ଓ ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିମନ୍ତେ ସୁନ୍ଦର ଭାବରେ ଭୋଜନର ବ୍ୟବସ୍ଥା କରାଯାଇଥିଲା।ସମସ୍ତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ଶିକ୍ଷାର ସମାନ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଏବଂ ସମାଜର ମୁଖ୍ୟଧାରାରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
