ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ପାରଳାଖେମୁଣ୍ଡି ପୁଲିସର ଚଢ଼ାଉ
ଦୁଇଟି ମାମଲାରେ ୧୪ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ।
ଗଜପତି,୧୯.୯(ମନୋଜ ପାଢ଼ୀ) :- ବିନା ବୈଧ ଲାଇସେନ୍ସ ଓ ଅନୁମତିରେ ବାଣ ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ବିରୋଧରେ ପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ପୃଥକ ମାମଲାରେ ୧୪ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।ପୁଲିସ ସୂଚନା ଅନୁଯାୟୀ, ୧୬ ସେପ୍ଟେମ୍ବର ୨୦୨୬ରେ ବିଶ୍ୱସ୍ତ ସୂଚନା ଆଧାରରେ ରାଣୀପେଣ୍ଠ ରୋଡ୍ର ଗୁମ୍ମାଗଡ଼ା ଅଞ୍ଚଳରେ ଥିବା ଲାଡି ରମେଶ (୫୫)ଙ୍କ ବାଣ ଦୋକାନ ଓ ଗୋଦାମରେ ପୁଲିସ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ବିନା ବୈଧ ଲାଇସେନ୍ସରେ ବିଭିନ୍ନ ପ୍ରକାରର ବହୁ ପରିମାଣର ବାଣ ଗଚ୍ଛିତ ରଖାଯାଇଥିବା ଜଣାପଡ଼ିଥିଲା। ବୋମା ଚିହ୍ନଟ ଓ ନିଷ୍କ୍ରିୟକରଣ ଦଳର ସହାୟତାରେ ଆଇନଗତ ପ୍ରକ୍ରିୟା ଅନୁସରଣ କରି ବାଣଗୁଡ଼ିକୁ ଜବତ କରାଯାଇଥିଲା।ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ. ୩୮୨/୨୦୨୬, ତାରିଖ ୧୬.୦୯.୨୦୨୬ରେ ଦଫା ୨୮୮ ଭାରତୀୟ ନ୍ୟାୟ ସଂହିତା ଏବଂ ଦଫା ୯(ବି), ଭାରତୀୟ ବିସ୍ଫୋରକ ଅଧିନିୟମ, ୧୮୮୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ଜବତ ବାଣର ଆନୁମାନିକ ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ସେହିପରି ୧୮ ସେପ୍ଟେମ୍ବର ୨୦୨୬ରେ ରାଣୀପେଣ୍ଠ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ମିଳିଥିବା ସୂଚନା ଆଧାରରେ ପୁରୁଣା ରାଣୀପେଣ୍ଠ, କାଶୀନଗର ରୋଡ୍ ରେଳବାଇ କ୍ରସିଂ ନିକଟରେ ଥିବା ପି. ଭାରତ କୁମାର (୩୧)ଙ୍କ ଗୋଦାମରେ ପୁଲିସ ଯାଞ୍ଚ କରିଥିଲା। ସେଠାରେ ବିନା ବୈଧ ଲାଇସେନ୍ସ କିମ୍ବା ଅନୁମତିରେ ବାଣ ଗଚ୍ଛିତ ରଖାଯାଇ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା। ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ବାଣଗୁଡ଼ିକୁ ଜବତ କରାଯାଇଥିଲା। ଏହି ମାମଲାରେ ଜବତ ବାଣର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ଦୁଇଟି ଘଟଣାରେ ମୋଟ ୧୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଜବତ ହୋଇଛି। ବେଆଇନ ଭାବେ ବାଣ ଗଚ୍ଛିତ ଓ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
