ରାୟଗଡ଼ା OSBC ଡିପୋକୁ ନେଇ ଲାଞ୍ଚ ଅଭିଯୋଗ
ରାୟଗଡ଼ା, ୦୬/୦୯/୨୦୨୬: ରାୟଗଡ଼ା ଜିଲ୍ଲାର OSBC ଡିପୋରେ ମଦ ଲୋଡିଂ ପାଇଁ ଟଙ୍କା ଦାବି କରାଯାଉଥିବା ନେଇ ଗାଡ଼ି ମାଲିକମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରତି ଗାଡ଼ି ପିଛା ୧୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଅଭିଯୋଗ ହୋଇଛି।ଗାଡ଼ି ମାଲିକମାନଙ୍କ ଅଭିଯୋଗ ଅନୁଯାୟୀ, ଦାବି ଅନୁସାରେ ଟଙ୍କା ନଦେଲେ ଗାଡ଼ି ଲୋଡିଂରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି କେତେକ ମାମଲାରେ ମଦ ଦୋକାନୀଙ୍କୁ ଫୋନ କରି ମାଲ ପଠାଇବାକୁ ମନା କରାଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।ଏହି ଅଭିଯୋଗରେ ଡିଜିଟାଲ ପେମେଣ୍ଟର ଦିଗ ମଧ୍ୟ ସାମ୍ନାକୁ ଆସିଛି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ଫୋନପେ ମାଧ୍ୟମରେ ଟଙ୍କା ନେବାର ଅଭିଯୋଗ ରହିଛି। ସମ୍ପୃକ୍ତ ଟ୍ରାଞ୍ଜାକ୍ସନ ଯାଞ୍ଚ କଲେ ଅଭିଯୋଗର ସତ୍ୟାସତ୍ୟ ଜଣାପଡ଼ିପାରିବ ବୋଲି ଗାଡ଼ି ମାଲିକମାନେ କହିଛନ୍ତି।ଅନ୍ୟପକ୍ଷରେ, ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ବ୍ରାଞ୍ଚ ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିବା ସାମ୍ବାଦିକଙ୍କୁ ପୋଲିସ କେସ୍ କରିବାର ଧମକ ଦିଆଯାଇଥିବା ସାମ୍ବାଦିକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ଯାଞ୍ଚ ଏପର୍ଯ୍ୟନ୍ତ ହୋଇନାହିଁ। ତେଣୁ OSBC କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରପେକ୍ଷ ତଦନ୍ତ କରାଯାଇ ଫୋନପେ ଟ୍ରାଞ୍ଜାକ୍ସନ, ଲୋଡିଂ ରେକର୍ଡ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବାକୁ ଗାଡ଼ି ମାଲିକମାନେ ଦାବି କରିଛନ୍ତି।ରାୟଗଡ଼ାରୁ ଅମୁଲ୍ୟ ନିଶଙ୍କଙ୍କ ରିପୋର୍ଟ।
