ବର୍ଷା ପାଣିରେ ଭାସିଗଲେ ଯୁବକ, ବାଣୀବିହାର ନିକଟରେ ଅଘଟଣ; ଖୋଜାଖୋଜି ଜାରି
ଭୁବନେଶ୍ୱର, ଜୁଲାଇ ୪: ସ୍ମାର୍ଟ ସିଟି ଭୁବନେଶ୍ୱରରେ ପୁଣି ଡ୍ରେନେଜ୍ ବ୍ୟବସ୍ଥାର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଅଳ୍ପ ବର୍ଷାରେ ରାସ୍ତାରେ ପାଣି ଜମି ଡ୍ରେନ୍ର ଅସ୍ତିତ୍ୱ ଜଣାପଡ଼ୁନଥିବାରୁ ଶନିବାର ଅପରାହ୍ଣରେ ବାଣୀବିହାର ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି।ସୂଚନା ଅନୁଯାୟୀ, ଜଣେ ଯୁବକ ବର୍ଷା ପାଣିରେ ଭର୍ତ୍ତି ହୋଇଥିବା ଡ୍ରେନ୍ରେ ଭାସିଯାଇଛନ୍ତି। ଘଟଣା ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି ଅଭିଯାନ ଚଳାଇଥିଲେ ମଧ୍ୟ ଏହି ରିପୋର୍ଟ ଲେଖାଯିବା ସୁଦ୍ଧା ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ।ଏହି ଘଟଣା ପୁଣିଥରେ ଭୁବନେଶ୍ୱରର ଡ୍ରେନେଜ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ବର୍ଷା ଦିନରେ ପାଣି ଜମି ଡ୍ରେନ୍ ଦେଖାନଯିବାରୁ ରାଜଧାନୀବାସୀ ଏବଂ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଏହା ବଡ଼ ବିପଦ ସୃଷ୍ଟି କରୁଛି।
