*ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ*

*ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ*

*ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ*

ଗଜପତି, 4।11(ମନୋଜ କୁମାର ପାଢୀଙ୍କ ରିପୋର୍ଟ ରିପୋର୍ଟ): -ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ଚାଷଜମି ଜଳମଗ୍ନ ହୋଇ ବ୍ୟାପକ ଫସଲ କ୍ଷତି ଘଟିଛି। ବିଶେଷକରି ଗୋଷାଣି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ଫସଲ ପାଣିରେ ବୁଡ଼ି ନଷ୍ଟ ହେବା ଫଳରେ ଚାଷୀମାନେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ବର୍ଷସାରାର ପରିଶ୍ରମ ଓ ଜୀବିକାର ମୁଖ୍ୟ ଆଧାର ଧାନ ଫସଲ ନଷ୍ଟ ହେବା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଗୋଷାଣି ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ଗ୍ରାମ ଗସ୍ତ କରି ଚାଷଜମି ଓ ଫସଲ କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ଅଗରଖଣ୍ଡି, ଭିନ୍ନଳା, ବାପୁଜୀପେଣ୍ଠ, ବଡ଼ଗାଁ ସମେତ ବିଭିନ୍ନ ଗ୍ରାମ ପରିଦର୍ଶନ କରି ଜଳମଗ୍ନ ଚାଷଜମିର ସ୍ଥିତି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ।ବିଶେଷକରି ଅଗରଖଣ୍ଡି ଗ୍ରାମରେ ଜଳମଗ୍ନ ଧାନଜମି ମଧ୍ୟକୁ ଯାଇ ବିଧାୟକ ନିଜେ ନଷ୍ଟ ହୋଇଥିବା ଫସଲର ସ୍ଥିତି ଦେଖିଥିଲେ। ଚାଷୀମାନେ କିପରି ଭାବେ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କ ଦୁଃଖ ଓ ଆର୍ଥିକ ଅସହାୟତାକୁ ନିକଟରୁ ଅନୁଭବ କରିଥିଲେ।

ଏହି ଗସ୍ତ ସମୟରେ ବିଧାୟକ ରୂପେଶ ପାଣିଗ୍ରାହୀ କ୍ଷତିଗ୍ରସ୍ତ ଅଞ୍ଚଳର ବାସ୍ତବ ଚିତ୍ର ଭିଡିଓ କଲ୍‌ ମାଧ୍ୟମରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ଅବଗତ କରାଇଥିଲେ।ଚାଷୀଙ୍କ ଜୀବନଜୀବିକା ସହ ଜଡ଼ିତ ଏହି ଗୁରୁତର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ କ୍ଷୟକ୍ଷତିର ନିରପେକ୍ଷ ଆକଳନ, ପ୍ରଭାବିତ ଚାଷୀଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ ଏବଂ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ।ଚାଷୀଙ୍କ ଦୁଃଖ ସମୟରେ ସେମାନଙ୍କ ପାଖରେ ଠିଆ ହେବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟୋଚିତ ସହାୟତା ଯୋଗାଇଦେବା ତାଙ୍କର ପ୍ରାଥମିକତା ବୋଲି ବିଧାୟକ ଗୁରୁତ୍ୱାରୋପ କରିଥିଲେ। କେବଳ କାଗଜପତ୍ରରେ ନୁହେଁ, କ୍ଷେତ୍ରସ୍ତରରେ ବାସ୍ତବ କ୍ଷୟକ୍ଷତିକୁ ଅନୁଧ୍ୟାନ କରି ଚାଷୀଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲାରାଜୁ, ନୀଳମାଧବ ପାଣ୍ଡି, ବିଜୟ ଜେନା, ଜଗା ପ୍ରଧାନ, ବୁଡୁ ପ୍ରଧାନ, ନିରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।