କନ୍ଧମାଳରେ ଭୟାବହ ସଡ଼କ ଦୁର୍ଘଟଣା: ଚକାଡୋଳା ବସ୍ ଧକ୍କାରେ ନବରଙ୍ଗପୁରର ୩ ଯୁବକଙ୍କ ମୃତ୍ୟୁ
ନବରଙ୍ଗପୁର/ବାଲିଗୁଡ଼ା, ଜୁଲାଇ ୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କେ. ନୂଆଗାଁ ରାସ୍ତାର ମହାସିଙ୍ଗେ ବ୍ରିଜ୍ ନିକଟରେ ଶୁକ୍ରବାର ରାତିରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ନବରଙ୍ଗପୁରର ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି।ମୃତକମାନେ ହେଲେ ନବରଙ୍ଗପୁର ସହର ତୋଟାସାହିର ଶୁଭମ୍ ରାଜ ଜେନା, ହିର୍ଲିର ସୁନିଲ ଜାନି ଏବଂ ଚାମୁରିଆଗୁଡ଼ାର ଚନ୍ଦନ ସୁନା।ସୂଚନା ଅନୁସାରେ, ତିନି ଯୁବକ ଗୋଟିଏ ମୋଟରସାଇକେଲରେ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମଦନପୁର-ରାମପୁରରୁ ଭୁବନେଶ୍ୱର ଯାଉଥିବା ଏକ ଚକାଡୋଳା ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବସ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଖବର ପାଇ ବାଲିଗୁଡ଼ା ଥାନାର ଏସଆଇ ଯୁଗଳ କିଶୋର ନାୟକ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ଚନ୍ଦନ ସୁନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଆହତ ଶୁଭମ୍ ରାଜ ଜେନା ଓ ସୁନିଲ ଜାନିଙ୍କୁ ପୁଲିସ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାକୁ ନେଇ ବାଲିଗୁଡ଼ା ପୁଲିସ ମାମଲା ରୁଜୁ କରି ଫେରାର ବସ୍ ଓ ଏହାର ଚାଳକଙ୍କ ସନ୍ଧାନ ଜାରି ରଖିଛି।
