ହିଟ୍ୱେଭ୍ ସଚେତନତା ଓ ରିଲିଫ୍ କାର୍ଯ୍ୟକ୍ରମ ଆୟୋଜିତ
ବ୍ରହ୍ମପୁର: ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ପକ୍ଷରୁ ଜିଲ୍ଲା ସଭାପତି ଧିରେନ ମହାରଣାଙ୍କ ସଂଯୋଜନାରେ ନୂଆ ବସ୍ଷ୍ଟାଣ୍ଡ ରୋଡ୍ ସ୍ଥିତ ଭାବାନଗର ଛକରେ ହିଟ୍ୱେଭ୍ ସଚେତନତା ଓ ରିଲିଫ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଓଡ଼ିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବାରୁ ସମୁଦ୍ର ପ୍ରଭାବ ଯୋଗୁଁ ବାୟୁରେ ଅଧିକ ଆଦ୍ରତା ରହିଥାଏ। ଏହା ଗୁଳୁଗୁଳି ଜନିତ ଗରମକୁ ବଢ଼ାଇ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଗ୍ରୀଷ୍ମକାଳୀନ ସୁରକ୍ଷା ଦୃଷ୍ଟିରୁ ୨୦୦ ଜଣ ଦୁର୍ବଳ ଶ୍ରମିକ, ରିକ୍ସା ଚାଳକ, ଫୁଟପାଥ ବିକ୍ରେତା ଓ ଦିନମଜୁରିଆଙ୍କୁ ଛତା, ଟୋପି ଓ ଗାମୁଛା ବଣ୍ଟନ କରାଯାଇଥିଲା। ଏହି ଉପକରଣଗୁଡ଼ିକର ନିୟମିତ ବ୍ୟବହାର ଦ୍ୱାରା ହିଟ୍ୱେଭ୍ ଜନିତ ବିପଦକୁ କମାଇପାରିବ ବୋଲି ସଚେତନ କରାଯାଇଥିଲା।ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ଘୋଳ ଦହି ଓ ଚିଆ ସିଡ୍ ମିଶ୍ରିତ ମିଶ୍ରି ପଣା ପ୍ରାୟ ୫ ହଜାର ଲୋକଙ୍କୁ ବିତରଣ କରାଯାଇଥିଲା।ଜିଲ୍ଲା ସଭାପତି ଧିରେନ ମହାରଣାଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା, ଜିଲ୍ଲା ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା କୋଷାଧ୍ୟକ୍ଷ ମହେଶ ଚନ୍ଦ୍ର ମହାରଣା, ସହ-ସମ୍ପାଦକ ପ୍ରଶାନ୍ତ ମହାରଣାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ।ଏହି ଅବସରରେ ଧିରେନ ମହାରଣା କହିଥିଲେ ଯେ, ଆଗାମୀ ଦିନରେ ମଧ୍ୟ ସମିତି ପକ୍ଷରୁ ଏଭଳି ଜନହିତକର ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ।
