ଘର ଦେଲେ, ପାଣି ଦେଲେ, ବିଦ୍ୟୁତ ଦେବାକୁ ଭୁଲିଗଲେ ପ୍ରଶାସନ, ନଅ ବର୍ଷ ହେଲା ଅନ୍ଧାରରେ ନଅ ଘରିଆ ସାହି ବାସିନ୍ଦା ।
ଗଜପତି (ମନୋଜ ପାଢ଼ୀ)-: ବର୍ତମାନ ସମୟରେ ପ୍ରତ୍ୟେକଙ୍କ ନିମନ୍ତେ ବିଦ୍ୟୁତ ଏତେ ଆବଶ୍ୟକ ହୋଇ ପଡିଛି ଯେ,କିଛି ସମୟ ପାଇଁ ମଧ୍ୟ ଯଦି ବିଦ୍ୟୁତ ଚାଲିଯାଏ ତାହାହେଲେ ଲୋକେ କେତେଯେ ହଇରାଣ ହେଉଛନ୍ତି। ବର୍ତମାନ ସରକାରଙ୍କ ବିଦ୍ୟୁତ ବିଭାଗକୁ ମଧ୍ୟ କଡ଼ା ନିର୍ଦେଶ ଅଛି ଯେ ଜନସାଧାରଣଙ୍କୁ ନିରବଛିନ୍ନ ଭାବରେ ଯୋଗାଇଦେବା ନିମନ୍ତେ। କିନ୍ତୁ ଦୁଃଖର ବିଷୟ ନାମନଗଡ ନଅ ଘରିଆ ସାହି ବାସିନ୍ଦାଙ୍କ ପାଇଁ ବିଦ୍ୟୁତ ସାତସପନ ପାଲଟି ଯାଇଛି। ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ ଗ୍ରାମର ନଅଟି ପରିବାରକୁ ଗ୍ରାମ ନିକଟରେ ପ୍ରଶାସନ ଜାଗା ଦେବାସହ ବିଜୁ ପକ୍କାଘର ପ୍ରଦାନ କରିଛନ୍ତି ଏବଂ ପ୍ରତିଘରକୁ ପାଣି ମଧ୍ୟ ଯୋଗାଇ ଦେଇଛନ୍ତି। ହେଲେ ପ୍ରଶାସନ ଆଜକୁ ନଅ ବର୍ଷ ହେବ ବିଦ୍ୟୁତ ଯୋଗାଇବାକୁ ଭୁଲିଗଲେ। ନଅ ଘରିଆ ବାସୀ ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି କରି ନୟାନ୍ତ ହେଲେଣି। ସେଥିସଙ୍ଗେ ଅନେକ ଥର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ ସେସବୁ ପ୍ରହସନ ପାଲଟିଥିବା ସେମାନେ ପ୍ରକାଶ କରିଛନ୍ତି। ସେହି ନଅ ଘରିଆ ବସ୍ତି ଚାରି ଚତୁଃର୍ଦିଗ ଜଙ୍ଗଲ ଘେରା ମଧ୍ୟରେ ଅବସ୍ଥିତ। ବର୍ତମାନ ପ୍ରବଳ ଗରମ ହେଉଥିବା ଯୋଗୁଁ ଘର ଭିତରେ ଆଉ ଶୋଇ ପାରୁନାହାନ୍ତି। ଛୋଟ ଛୁଆ ମାନଙ୍କୁ ଧରି ଦାଣ୍ଡ ବାରଣ୍ଡାରେ ବାଧ୍ୟ ହୋଇ ଶୋଉଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେଥିସଙ୍ଗେ ଘନ ଅନ୍ଧାରରେ ବିଷାକ୍ତ ସାପ ଓ ହିଂସ୍ର ଜନ୍ତୁମାନଙ୍କର ମଧ୍ୟ ଭୟ ରହୁଥିବା ପ୍ରକାଶ କରିଛନ୍ତି। ବିଦ୍ୟୁତ ନଥିବାହେତୁ ନଅ ଘରିଆବାସୀ ନାହିଁନଥିବା ସମସ୍ୟାର ସମୁଖୀନ ହେଉଥିବା ଜଣାପଡିଛି। ସନ୍ଧ୍ୟା ହେଉ ହେଉ ସେମାନେ ରାତି ପାଇବା ପର୍ଯ୍ୟନ୍ତ ଏକ ପ୍ରକାର ଭୟର ବାତାବରଣରେ ଜୀବନ ବିତାଉଛନ୍ତି। ତେଣୁ ତୁରନ୍ତ ବିଦ୍ୟୁତ ନ ଯୋଗାଇଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ନିମନ୍ତେ ଅନନ୍ତ ପାଇକ, ଗୀତ ପାଇକ, ଯୋସେଫ ଲିମ୍ମା, ତପନ ଦୋରା ଏବଂ ନଅ ଘରିଆ ବାସୀ ଚେତାବନୀ ଦେଇଛନ୍ତି l
