ନିଯୁକ୍ତି ହିସାବ କାହା ପାଖରେ ନାହିଁ ନାମକୁ ମାତ୍ର ଚାଲିଛି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ।
ଗଜପତି, ୨୯.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାରେ ସୁପ୍ତ ପ୍ରାୟ ହୋଇଯାଇଛି ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ନାମକୁ ମାତ୍ର ଏହି କାର୍ଯ୍ୟାଳୟ ଯେମିତି ଚାଲିଛି ଫଳରେ ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରୁନି। ଶିକ୍ଷିତ ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରିବା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଏହି କାର୍ଯ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ କିନ୍ତୁ ଗଜପତି ଜିଲ୍ଲାରେ ଏହି କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି | ପ୍ରତିବର୍ଷ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ଦକ୍ଷତା ବିକାଶ କର୍ମଶାଳା ଏବଂ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ବିଭାଗ ପକ୍ଷରୁ ଆୟୋଜନ ହେଉଛି ସତ କିନ୍ତୁ କେତେ ଯୁବକଯୁବତୀ ନିଯୁକ୍ତି ପାଇପାରିଛନ୍ତି ତାହାର ହିସାବ କାହା ପାଖରେ ନାହିଁ। ପ୍ରତିବର୍ଷ ଶତାଧିକ ଯୁବକଯୁବତୀ ନିଯୁକ୍ତି ପାଇଁ ପଞ୍ଜିକୃତ କରୁଛନ୍ତି କିନ୍ତୁ କେଉଁ ଅଞ୍ଚଳରୁ କେତେ ସଂଖ୍ୟକ ଯୁବକଯୁବତୀ କେଉଁ କ୍ଷେତ୍ରରେ, ସରକାରୀ କ୍ଷେତ୍ରରେ ନା’ ଘରୋଇ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି, ତାହାର ତଥ୍ୟ ବିଭାଗ ପାଖରେ ନାହିଁ ସେହିଭଳି ତାଲିମପ୍ରାପ୍ତ ଯୁବକଯୁବତୀଙ୍କ ମଧ୍ୟରୁ କେତେଜଣ ସ୍ବାବଲମ୍ବୀ ହୋଇପାରିଛନ୍ତି ଓ ତାଲିମ ପାଇବା ପରେ ତାଙ୍କୁ କୌଣସି କ୍ଷେତ୍ରରେ ନିଯୁକ୍ତି ମିଳିଛି କି ନାହିଁ, ଏନେଇ ବିଭାଗ କୌଣସି ତଥ୍ୟ ନିଜ ପାଖରେ ରଖିନାହିଁ ଅନ୍ୟପକ୍ଷରେ ଯୁବକଯୁବତୀଙ୍କୁ ସିଧାସଳଖ ତାଲିମ ଦିଆଯାଉନି ବରଂ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ବିଭିନ୍ନ କୌଶଳଭିତ୍ତିକ ତାଲିମ ଦିଆଯାଉଛି।
ତେବେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଦାୟିତ୍ଵ କେବଳ ଯୁବକଯୁବତୀଙ୍କ ପଞ୍ଜୀକରଣର ହିସାବ ରଖିବାରେ ସୀମିତ କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ | ବର୍ତ୍ତମାନ ଅନଲାଇନ୍ରେ ପଞ୍ଜିକୃତ ହେଉଥିବା ବେଳେ ବିଭାଗର କାର୍ଯ୍ୟଧାରା ଜଣାପଡ଼ୁନି ସେହିପରି ବିଭାଗର ସ୍ଥାଣୁତା ଯୋଗୁଁ ନିଯୁକ୍ତି କ୍ଷେତ୍ରରେ ଜିଲ୍ଲାର ଶିକ୍ଷିତ ଯୁବକଯୁବତୀ ସଫଳ ପାଇପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ନିୟନ୍ତ୍ରଣରେ ରହୁନି ନିଯୁକ୍ତି ପ୍ରକ୍ରିୟା ତେଣୁ ସିଧାସଳଖ ଯିଏ ଯେଉଁଠି ନିଯୁକ୍ତି ପାଇଲା ନିଜର ଦକ୍ଷତା ଓ ଉଦ୍ୟମରେ ଆତ୍ମନିଯୁକ୍ତି ହୋଇପାରୁଛି।
କିନ୍ତୁ ବିଭାଗର ସହଯୋଗ ରହୁ ନଥିବା ବେଳେ ପ୍ରତ୍ୟେକବର୍ଷ ସମସ୍ତ ବ୍ଲକ ଅଞ୍ଚଳରେ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିଳ୍ପଭିତ୍ତିକ ମାଗଣା ତାଲିମ ପ୍ରଦାନ କରାଯାଉଛି। ଚଳିତବର୍ଷ ନାନୋ ୟୁନିକର୍ନ ଯୋଜନାରେ ୪୦ ଜଣ ଯୁବକଯୁବତୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଥିବା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ କହିଛନ୍ତି ।
