ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସାଧାରଣ ଜନମଙ୍ଗଳକାରୀ ଯୋଜନା ନୁହେଁ। ଏହା ସାମାଜିକ ସୁରକ୍ଷାକୁ ମଜବୁତ୍ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସାଧାରଣ ଜନମଙ୍ଗଳକାରୀ ଯୋଜନା ନୁହେଁ। ଏହା ସାମାଜିକ ସୁରକ୍ଷାକୁ ମଜବୁତ୍ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ ଅବସରରେ କହିଛନ୍ତି।ଆଜି ମା’ ତାରା ତାରିଣୀଙ୍କ ପୀଠରେ ଏହି ଯୋଜନାର ଶୁଭାରମ୍ଭ କରାଯାଇ ୨୦୧ ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ବିବାହ ମଣ୍ଡପରେ କର୍ତ୍ତା ଭାବେ ହୋମ କୁଣ୍ଡରେ ଆହୁତି ପ୍ରଦାନ କରି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଏପରି ଏକ ଓଡିଶା ଗଢିବା ଯେଉଁଠି କୌଣସି କନ୍ୟା ଆର୍ଥିକ ଦୁର୍ବଳତା କିମ୍ବା ସାମାଜିକ ଚାପ ହେତୁ ବିବାହର ପ୍ରାପ୍ତ ବୟସ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେବେ ନାହିଁ। ଆହୁରି ମଧ୍ୟ ଏହି ଯୋଜନା ସମାଜକୁ ଏକ ନୂତନ ବାର୍ତ୍ତା ଦେବ ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ଆଶୀର୍ବାଦ।
ଓଡ଼ିଶାର ପ୍ରସିଦ୍ଧ ମା ତାରାତାରିଣୀଙ୍କ ଆଦିଶକ୍ତିପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନା ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ବିଧବା ପୁନଃ ବିବାହକୁ ଉତ୍ସାହିତ କରିବା, ଯୌତୁକ ପ୍ରଥାକୁ ନିବାରଣ କରିବା ଦିଗରେ ବହୁ ପରିମାଣରେ ସହାୟତା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ପୁଣି କହିଥିଲେ, ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ବଜେଟରେ ୫୯ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଛି।
