*କରଣସାହି ଚାରିଛକରେ ଟ୍ରାଫିକ୍ ଜାମ୍, ଦୁର୍ଦ୍ଦଶାରେ ସହରବାସୀ* ।

*କରଣସାହି ଚାରିଛକରେ ଟ୍ରାଫିକ୍ ଜାମ୍, ଦୁର୍ଦ୍ଦଶାରେ ସହରବାସୀ* ।

*କରଣସାହି ଚାରିଛକରେ ଟ୍ରାଫିକ୍ ଜାମ୍, ଦୁର୍ଦ୍ଦଶାରେ ସହରବାସୀ* ।

ଗଜପତି,10.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ମୁଖ୍ୟାଳୟ ପାରଳାଖେମୁଣ୍ଡି ସହରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଗମ୍ଭୀର ରୂପ ଧାରଣ କରୁଛି। ସହରର ମୁଖ୍ୟ ଚାରିଛକ କରଣସାହି ଅଞ୍ଚଳରେ ପ୍ରାୟ ପ୍ରତିଦିନ ଅସମ୍ଭାଳ ଟ୍ରାଫିକ୍ ଜାମ ଦେଖିବାକୁ ମିଳୁଛି। ଏହା ଯୋଗୁଁ ଛାତ୍ରଛାତ୍ରୀ, ମହିଳା, ବୟସ୍କ ବ୍ୟକ୍ତି, ରୋଗୀ ଓ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି।ଏହି ଚାରିଛକର ଗୋଟିଏ ପାର୍ଶ୍ୱରେ କରଣ ସାହି ଓ ଗାର୍ଲ୍ସ ହାଇସ୍କୁଲ ରାସ୍ତା, ଅନ୍ୟ ପାର୍ଶ୍ୱରେ କୁମୁଟି ସାହି ରାସ୍ତା ଏବଂ ଅନ୍ୟ ଦିଗରେ ସହରର ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ରାସ୍ତା ରହିଛି।

ଏହି ରାସ୍ତା ଦେଇ ହାଇସ୍କୁଲ, କଲେଜ, ବ୍ୟାଙ୍କ, ଟ୍ରେଜେରୀ, ପୋଲିସ ଷ୍ଟେସନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଆର୍‌ଟିଓ କାର୍ଯ୍ୟାଳୟକୁ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଯାତାୟାତ କରନ୍ତି।ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବା ସତ୍ତ୍ୱେ ଏଠାରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁବ୍ୟବସ୍ଥିତ ଯାତାୟାତ ପାଇଁ ଆବଶ୍ୟକ ପଦକ୍ଷେପର ଅଭାବ ସ୍ପଷ୍ଟ ଅନୁଭୂତ ହେଉଛି। ଯେତେବେଳେ ଦେଖିବେ ସେତେବେଳେ ଏହି ଛକରେ ଗାଡ଼ିମୋଟରର ଲମ୍ବା ଧାଡ଼ି ଓ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳୁଛି।

ଫଳରେ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକମାନେ ମଧ୍ୟ ଦୀର୍ଘ ସମୟ ଧରି ଅଟକି ରହୁଛନ୍ତି।ଏହି ସମସ୍ୟା ନେଇ ବହୁବାର ଅଭିଯୋଗ ଓ ଦାବି ହୋଇଥିଲେ ମଧ୍ୟ ଏଯାବତ୍ କୌଣସି ଆଖିଦୃଶିଆ ସୁଫଳ ମିଳିନାହିଁ ବୋଲି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ନହେବା ସହରବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଭଲ ରାସ୍ତା, ନାଳନର୍ଦ୍ଦମାର ସୁବ୍ୟବସ୍ଥା, ପୋଖରୀ ସଂରକ୍ଷଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଉନ୍ନତ ଗମନାଗମନ ଭଳି ମୌଳିକ ସୁବିଧାରୁ ମଧ୍ୟ ସହରବାସୀ ବଞ୍ଚିତ ହେଉଥିବା ନେଇ ଅସନ୍ତୋଷ ବଢ଼ୁଛି।ତେଣୁ ଜିଲ୍ଲା ପ୍ରଶାସନ, ପୌର ପରିଷଦ ଓ ପୋଲିସ ବିଭାଗ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ମୁଖ୍ୟ ଚାରିଛକରେ ନିୟମିତ ଟ୍ରାଫିକ୍ ନିୟନ୍ତ୍ରଣ, ଅବୈଧ ପାର୍କିଂ ଉପରେ କଟକଣା ଏବଂ ଆବଶ୍ୟକ ସ୍ଥଳେ ରାସ୍ତାର ପ୍ରଶସ୍ତୀକରଣ ଭଳି ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି। ପାରଳାଖେମୁଣ୍ଡିର ସୁନ୍ଦର ଓ ସୁବ୍ୟବସ୍ଥିତ ସହରୀକରଣ ପାଇଁ କେବଳ ଯୋଜନା ନୁହେଁ, ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।