*ଡିସେମ୍ବର ୧୨ରେ ବର୍ଷର ଚତୁର୍ଥ ତଥା ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ* ।
ଗଜପତି,4.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଆସନ୍ତା ଡିସେମ୍ବର ୧୨ ତାରିଖ ଶନିବାର ଦିନ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ରା.ଉଦୟଗିରି, ମୋହନା ଓ କାଶୀନଗର ଅଦାଲତ ପରିସରରେ ବର୍ଷର ଚତୁର୍ଥ ତଥା ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ପ୍ରାକ୍-ମକଦ୍ଦମା ଏବଂ ବିଚାରାଧୀନ ମାମଲାର ଆପୋଷ ବୁଝାମଣା ଓ ସମାଧାନ କରାଯିବ। ଏଥି ମଧ୍ୟରେ ସାଲିସଯୋଗ୍ୟ ଫୌଜଦାରୀ ମାମଲା, ଚେକ୍ ବାଉନ୍ସ, ସମାଧାନଯୋଗ୍ୟ ଟ୍ରାଫିକ୍ ଚାଲାଣ, ବ୍ୟାଙ୍କ ଋଣ ଜନିତ ମାମଲା, ମୋଟର ଦୁର୍ଘଟଣା କ୍ଷତିପୂରଣ, ଶ୍ରମ ବିବାଦ, ଲୋକସେବା ସମ୍ବନ୍ଧୀୟ ମାମଲା, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ପାରିବାରିକ ବିବାଦ, ଜମି ଅଧିଗ୍ରହଣ, ଚାକିରି ଓ ପେନ୍ସନ୍ ସମ୍ବନ୍ଧୀୟ ମାମଲା, ରାଜସ୍ୱ ଏବଂ ଅନ୍ୟାନ୍ୟ ଆପୋଷ ସମାଧାନ ଯୋଗ୍ୟ ମାମଲାର ସ୍ଥାନ ପାଇଛି।ଲୋକ ଅଦାଲତର ଏକ ପ୍ରମୁଖ ବିଶେଷତ୍ୱ ହେଉଛି, ଏଠାରେ ମାମଲାର ସମାଧାନ ପାଇଁ କୌଣସି ଅଦାଲତ ଶୁଳ୍କ ଦେବାକୁ ପଡ଼େ ନାହିଁ।ଏଥି ସହ ଲୋକ ଅଦାଲତରେ ଆପୋଷ ବୁଝାମଣା ଭିତ୍ତିରେ ହୋଇଥିବା ନିଷ୍ପତ୍ତି ଚୂଡ଼ାନ୍ତ ଓ ଉଭୟ ପକ୍ଷଙ୍କ ପାଇଁ ବାଧ୍ୟତାମୂଳକ।
ଏହା ବିରୋଧରେ ସାଧାରଣତଃ ଅପିଲ୍ର ବ୍ୟବସ୍ଥା ନାହିଁ।ଦୀର୍ଘଦିନ ଧରି ଅଦାଲତରେ ବିଚାରାଧୀନ ରହିଥିବା ମାମଲାଗୁଡ଼ିକର ଶୀଘ୍ର, ସରଳ ଓ ସୁବିଧାଜନକ ସମାଧାନ କରିବା ସହିତ ସମୟ ଓ ଅର୍ଥର ଅପଚୟ ରୋକିବା ଦିଗରେ ରାଷ୍ଟ୍ରୀୟ ଲୋକ ଅଦାଲତ ଏକ ଉତ୍ତମ ମାଧ୍ୟମ ଭାବେ ପରିଗଣିତ ହେଉଛି।ଏଣୁ ନିଜର ମାମଲାଗୁଡ଼ିକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଇଚ୍ଛୁକ ପକ୍ଷମାନେ ଏହି ସୁଯୋଗର ସଦୁପଯୋଗ କରିବାକୁ ଅନୁରୋଧ କରାଯାଇଛି।
ଅଧିକ ବିବରଣୀ ଓ ଆବଶ୍ୟକ ପରାମର୍ଶ ପାଇଁ ପାରଳାଖେମୁଣ୍ଡିସ୍ଥିତ ନୂତନ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ଏବଂ ରା.ଉଦୟଗିରି ଓ ମୋହନା କୋର୍ଟ ପରିସରରେ ଥିବା ତାଲୁକା ଆଇନ ସେବା କମିଟି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।
