*ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ କୃତି ଓ କୃତିତ୍ୱକୁ ନେଇ ଅନୁଷ୍ଠିତ ଆଲୋଚନାଚକ୍ରରେ ଭାଷାଭିତ୍ତିକ ଓଡ଼ିଶା ଗଠନରେ ମହାରାଜାଙ୍କ ଅବଦାନକୁ ସ୍ମରଣ*
ଗଜପତି,୧୩.୯(ମନୋଜ ପାଢ଼ୀ) :- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ଭାଷା ଆନ୍ଦୋଳନ ଓଡ଼ିଶା ଟ୍ରଷ୍ଟ ଓ ‘ଶବ୍ଦ ସ୍ପର୍ଶ’ ପକ୍ଷରୁ ଓଡ଼ିଆ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ କୃତି ଓ କୃତିତ୍ୱକୁ ନେଇ ଏକ ଆଲୋଚନାଚକ୍ର ସ୍ଥାନୀୟ ରାଜଦାଣ୍ଡସ୍ଥିତ ବିଶ୍ୱନାଥ ଫଙ୍କସନ୍ ହଲ୍ରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପ୍ରଫେସର ଦାଶ ବେନହୁର ଉଦ୍ଘାଟକ ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଶାରଳା ଚେୟାର ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ପ୍ରଫେସର ଉଦୟନାଥ ସାହୁ ଯୋଗ ଦେଇଥିଲେ।ସମ୍ମାନିତ ବକ୍ତା ଭାବେ ଗବେଷକ ସତ୍ୟନାରାୟଣ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ସମ୍ପାଦକ ନଟବର ଖୁଣ୍ଟିଆ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଓଡ଼ିଆ ବିଭାଗ ମୁଖ୍ୟ ତଥା ଭାଷାବିତ୍ ଡ. ଦେବାଶିଷ ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ. ବିଜୟଲକ୍ଷ୍ମୀ ଦାଶ, ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀର ଅଧ୍ୟାପିକା ଡ. ଶର୍ମିଷ୍ଠା ମହାପାତ୍ର ଏବଂ ବୌଦ୍ଧ କଲେଜର ଅଧ୍ୟାପକ ଡ. କଳ୍ପତରୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ଆଲୋଚନାଚକ୍ରରେ ବକ୍ତାମାନେ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତିଚାରଣ କରିବା ସହ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। କୃଷି, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ମହାରାଜାଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ମହାରାଜାଙ୍କ ଦୂରଦୃଷ୍ଟି ଓ ବିକାଶମୂଳକ ଚିନ୍ତାଧାରା ଆଜି ମଧ୍ୟ ପ୍ରେରଣାଦାୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ତାଙ୍କ ଆଦର୍ଶ ଓ ଦୂରଦୃଷ୍ଟି ୨୦୩୬ ସୁଦ୍ଧା ପରିକଳ୍ପିତ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ଅତିଥିମାନେ ମତ ଦେଇଥିଲେ।ଉଦ୍ଘାଟକ ପ୍ରଫେସର ଦାଶ ବେନହୁର ତାଙ୍କ ବକ୍ତବ୍ୟରେ ମହାରାଜାଙ୍କ ଅବଦାନର ଭୂୟସୀ ପ୍ରଶଂସା କରିବା ସହ ବିଦ୍ୟାଳୟ ପାଠ୍ୟକ୍ରମରେ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଓ ଅବଦାନକୁ ସାମିଲ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ।୧୯୩୬ ମସିହାରେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ। ଏହା ସହ ଏକ ପ୍ରତିଷ୍ଠିତ ଗଣମାଧ୍ୟମ ନିଜ କାର୍ଯ୍ୟାଳୟ ପରିସରରେ ବିଶ୍ୱନାଥ ଦାସଙ୍କୁ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦର୍ଶାଇଥିବା ଘଟଣାକୁ ମୁଖ୍ୟ ଅତିଥି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅସନ୍ତୋଷ ପ୍ରକାଶ କରିଥିଲେ।ଏହି ଅବସରରେ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ପ୍ରଚଳନ ପାଇଁ ହୋଇଥିବା କଳାପତାକା ଅଭିଯାନ ସମୟରେ ପାରଳାଖେମୁଣ୍ଡିରେ କଳାପତାକା ପ୍ରଦର୍ଶନ କରିଥିବା ୩୦ରୁ ଉର୍ଦ୍ଧ୍ବ ଭାଷା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ପାରଳା ଗଜପତି ବିକାଶ ମଞ୍ଚ, ଭୁବନେଶ୍ୱରର କର୍ମକର୍ତ୍ତା ତଥା ସମ୍ପାଦକ ଶ୍ରୀ ରାଜକିଶୋର ପାଣିଗ୍ରାହୀ, ସଦସ୍ୟ ଶ୍ରୀ ରଘୁରାଜ ରାଜଗୁରୁ,ଶ୍ରୀ କୈଳାସ ପଟ୍ଟନାୟକଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ମାତୃଭୂମିର ସୁରକ୍ଷା ଏବଂ ଓଡ଼ିଶା ଓ ପାରଳାଖେମୁଣ୍ଡିର ବିକାଶ ପାଇଁ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଶ୍ରୀ ଶାରଦା ପ୍ରସାଦ ମହାପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ଓଡ଼ିଶା ଭାଷା ଆନ୍ଦୋଳନର ଆବାହକ ଶ୍ରୀ ପବିତ୍ର ମହାରଥା ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭାଷା ଆନ୍ଦୋଳନ ଓଡ଼ିଶାର ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ସମସ୍ତ ଅତିଥି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଭୁବନେଶ୍ୱରରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାହିତ୍ୟିକ, ଗବେଷକ, ବୁଦ୍ଧିଜୀବୀ ଓ ଭାଷାପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମକୁ ପରିପୁଷ୍ଟ କରିଥିଲେ।
