ବେଆଇନ କାଠ କାରଖାନାରେ ଚଢାଉ ବିପୁଳ କାଠ ସରଞ୍ଜାମ ଜବତ :2 ଗିରଫ ।
ଗଜପତି 24/5(ମନୋଜ କୁମାର ପାଢୀ):ପାରଳା ଡିଏଫଓ କେ. ନାଗାରାଜୁଙ୍କ ନିର୍ଦେଶକ୍ରମେ ସମଗ୍ର ବନଉପଖଣ୍ଡରେ ଜଙ୍ଗଲ ସୁରକ୍ଷା ଓ ଚୋରା କାଠ ଚାଲାଣକୁ ରୋକିବା ପାଇଁ ବ୍ୟାପକ ଚଢାଉ ଓ ପେଟ୍ରୋଲିଂ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଝିଲିକି ଗ୍ରାମରେ ଚାଲିଥିବା ଏକ ବେଆଇନ୍ କାଠ କାରଖାନା ଉପରେ ଚଢ଼ଉ କରିଛି ମୋହନା ବନବିଭାଗ I ସେଠାରୁ ବିପୁଳ ପରିମାଣର କାଠ ନିର୍ମିତ ସରଞ୍ଜାମ ସହ ଶାଳ, ପିଆଶାଳ କାଠ ଜବତ୍ କରାଯିବା ସହ 2 ଜଣଙ୍କୁ ଗିରଫ କରାଯାଇଛି I ବିଶେଷ ସୂତ୍ରରୁ ଖବର ପାଇ ଏସିଏଫ୍ ସାଇନିଶ୍ରୀ ଦାସଙ୍କ ନେତୃତ୍ବରେ ବନ ବିଭାଗ କର୍ମଚାରୀ ଝିଲିକି ଗ୍ରାମ ସ୍ଥିତ ବିପିନ ନାୟକଙ୍କ ଘରେ ଶନିବାର ସନ୍ଧ୍ୟାରେ ଚଢ଼ଉ କରିଥିଲେ I ଘର ବାଡ଼ିପଟେ କାଠ ସାମଗ୍ରୀ ନିର୍ମାଣ କାରଖାନା ଚାଲିଥିବା ଦେଖିବାକୁ ମିଳିଥିଲା | ସେଠାରୁ ୨ଟି ପିଆଶାଳ କାଠ ନିର୍ମିତ ପଲଙ୍କ, ୨ଟି ଖଟ, କିଛି କାଠ ନିର୍ମିତ ଆସବାବପତ୍ର ସହ ସାଇଜ କାଠ ଜବତ୍ କରାଯାଇଛି। ବେଆଇନ୍ କାଠ କାରଖାନା ଚଳାଇବା ଏବଂ କାଠ ରଖିବା ଅଭିଯୋଗରେ ଝିଲିକି ଗ୍ରାମର ବିପିନ ନାୟକ ଏବଂ ତାଙ୍କ ସହଯୋଗୀ ମୋହନାର ରାଜକୁମାର ଲିମାଙ୍କୁ ଗିରଫ କରିଛି ବନ ବିଭାଗ | ଜବତ୍ କାଠ ସାମଗ୍ରୀ ଏବଂ କାଠ ସାଇଜର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ଆଜି ରବିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚଲାଣ କରାଯାଇଥିବା ମୋହନା ବନାଞ୍ଚଳ ଅଧୂକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ସୂଚନା ଦେଇଛନ୍ତି ।
