“ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରନ୍ଧାଖାଦ୍ୟ କୁ ନେଇ ଅନିୟମିତତା , ଖାଦ୍ୟ ବଦଳ ରେ ମିଳୁଛି ଦୁର୍ବ୍ୟବହାର ତାଙ୍କୁ ବଡ଼ ପ୍ରଶ୍ନ କାହିଁକି ?
କନ୍ଧମାଳ ୨୦/୨୬(ରିପୋର୍ଟ କୁନା ଦିଗାଲ ): ସରକାରଙ୍କ ପକ୍ଷରୁ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ବିନାମୂଲ୍ୟରେ ଖାଦ୍ୟ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏହି ଖାଦ୍ୟ ବଣ୍ଟନକୁ ନେଇ ଅନିୟମିତତା ଅଭିଯୋଗ ଆସିଛି। ନିର୍ଦ୍ଧାରିତ ସମୟରେ ଖାଦ୍ୟ ମିଳୁନଥିବା ସହ ଖାଦ୍ୟ ନେବାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଦୁର୍ବ୍ୟବହାର କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ରୋଗୀଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସକାଳ, ଦ୍ୱିପ୍ରହର ଓ ରାତିରେ ଖାଦ୍ୟ ବଣ୍ଟନ ପାଇଁ ନିର୍ଦ୍ଧାରିତ ସମୟ ଥିଲେ ମଧ୍ୟ ଅନେକ ସମୟରେ ଘଣ୍ଟା ଘଣ୍ଟା ବିଳମ୍ବରେ ଖାଦ୍ୟ ଦିଆଯାଉଛି। କେତେକ ସମୟରେ ଖାଦ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଥିବା ରୋଗୀ ମାନେ କହିଛନ୍ତି। ଖାଦ୍ୟ ବଣ୍ଟନରେ ବିଳମ୍ବ ସମ୍ପର୍କରେ ପଚାରିଲେ କେତେକ କର୍ମଚାରୀ ଓ ଖାଦ୍ୟ ବିତରଣକାରୀ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଅସଦାଚରଣ କରୁଥିବା ଏବଂ ଖରାପ ଭାଷା ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି,ସକାଳ ୮ ଟାରେ ଖାଦ୍ୟ ଦେବା କଥା ଥିଲେ ମଧ୍ୟ ୧୦ ଟାରୁ ୧ ଟା ମଧ୍ୟରେ ମିଳୁଛି। ପଚାରିଲେ ‘ନେଲେ ନିଅ, ନହେଲେ ଯାଅ’ ବୋଲି କୁହାଯାଉଛି। ଗରିବ ଲୋକ ବାହାରୁ ଖାଦ୍ୟ କିଣି ଖାଇବେ କିପରି ? ସେହିପରି ଜଣେ ମହିଳା ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି “ଖାଦ୍ୟ ନେବାକୁ ଯାଇଥିବା ବେଳେ ସେଠାରେ ଥିବା କର୍ମଚାରୀ ମାନେ ଖରାପ ଭାଷା ବ୍ୟବହାର କରିଥିଲେ। ରୋଗୀଙ୍କ ପାଖରେ ରହିବା ପରିବର୍ତ୍ତେ ଖାଦ୍ୟ ପାଇଁ ଦୀର୍ଘ ସମୟ ଧରି ଲାଇନରେ ଠିଆ ହେବାକୁ ପଡୁଛି। ଏଭଳି ଅଭିଯୋଗ ରୋଗୀ ସେବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷକରି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ଆସୁଥିବା ଆର୍ଥିକ ଦୁର୍ବଳ ରୋଗୀମାନେ ହସ୍ପିଟାଲର ମାଗଣା ଖାଦ୍ୟ ଉପରେ ନିର୍ଭର କରୁଥିବାରୁ, ନିର୍ଦ୍ଧାରିତ ସମୟରେ ଖାଦ୍ୟ ଯୋଗାଣ ଓ ରୋଗୀଙ୍କ ସହ ସମ୍ମାନ ଜନକ ବ୍ୟବହାର ନିଶ୍ଚିତ କରିବା ଜରୁରୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଖାଦ୍ୟର ଗୁଣବତ୍ତା, ବଣ୍ଟନ ସମୟ ଏବଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଆଚରଣ ସମ୍ପର୍କରେ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ଦୋଷ ପ୍ରମାଣିତ ହେଲେ ନିୟମାନୁସାରେ ପଦକ୍ଷେପ ନେବା ସହ ରୋଗୀମାନ ଙ୍କୁ ଠିକ ସମୟରେ ଓ ସମ୍ମାନର ସହ ଖାଦ୍ୟ ଯୋଗାଇବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
