ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଏସପି ।
ଗଜପତି, 26/5(ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ନୂତନ ଏସପି ଭାବେ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ଦାୟିତ୍ୱ ମିଳିଥିବା ଜଣାଯାଇଛି । ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଆଇପିଏସ୍/ଓପିଏସଙ୍କ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ପ୍ରହଲ୍ଲାଦ ସହାୟ ମୀନା ନିଯୁକ୍ତ ହୋଇଥିବାର ଜଣାପଡିଛି । ଶ୍ରୀ ମୀନା 2017 ବ୍ୟାଚର ଆଇପିଏସ୍ ଅଫିସର ବୋଲି ଜଣାପଡିଥିବା ବେଳେ ସେ ବରଗଡ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ଅବସ୍ଥାପିତ ଥିଲେ । ଏଥି ପୂର୍ବରୁ ଗଜପତି ଜିଲ୍ଲାର ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗତ ମାର୍ଚ୍ଚ ମାସ ଶେଷରେ ଅବସର ଗ୍ରହଣ କରିଥିଲେ । ଏହାପରେ ଏହି ପଦବୀରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣ ବିବେକ ଏମ୍. ଏବଂ ଗଜପତିର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତି ସାମୟିକ ଭାବେ ଭାରପ୍ରାପ୍ତ ଏସପି ଭାବେ ଏହି ଗୁରୁଦାୟିତ୍ବ ତୁଲାଉଥିଲେ । ଶ୍ରୀ ମୀନାଙ୍କୁ ବର୍ତ୍ତମାନ ରାଜ୍ୟ ସରକାର ଗଜପତି ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ଦେଇଛନ୍ତି ।
