ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ କଂଗ୍ରେସର ଅଚାନକ ଧାରଣା, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ୭, ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନ ନିକଟରେ ଅଚାନକ ଧାରଣାରେ ବସିଥିଲେ। ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଧାରଣାସ୍ଥଳରେ ପହଞ୍ଚି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ସରକାର ନିଟ୍ ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ସମ୍ମତି ଦେଇଥିଲେ। ତେବେ କଂଗ୍ରେସ ପରବର୍ତ୍ତୀ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଦ୍ୱିତୀୟ ଦାବି ଭାବେ ଯୋଡ଼ିଥିବା ସେ ଅଭିଯୋଗ କରିଛନ୍ତି।ଏପଟେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଆନ୍ଦୋଳନସ୍ଥଳକୁ ଆସି ଉକ୍ତ ସ୍ଥାନ ଧାରଣା ପାଇଁ ଉପଯୁକ୍ତ ନୁହେଁ ବୋଲି କହିଥିଲେ। ଏହାର ଜବାବରେ ରାହୁଲ ଗାନ୍ଧୀ କହିଥିଲେ, “ମୁଁ ଯେଉଁଠି ଚାହିବି ସେଠାରେ ବସିପାରିବି।”
