ସୋନମ ୱାଙ୍ଗଚୁକଙ୍କୁ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ଘଟଣାକୁ ନେଇ ୨୪ ଦିନ ଧରି ଆମରଣ ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ମେଦାନ୍ତର ଚିକିତ୍ସକମାନେ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରିବେ ଏବଂ ୱାଙ୍ଗଚୁକଙ୍କୁ ମଧ୍ୟ ଚିକିତ୍ସକଙ୍କ ପରାମର୍ଶ ମାନିବାକୁ ପଡ଼ିବ।ପୂର୍ବରୁ ଏକକ ଖଣ୍ଡପୀଠ ସ୍ଥାନାନ୍ତର ପାଇଁ ଅନୁମତି ନ ଦେବା ପରେ, ୱାଙ୍ଗଚୁକଙ୍କ ପତ୍ନୀ ଗୀତା ଆଙ୍ଗମୋ ଦୁଇଜଣିଆ ଖଣ୍ଡପୀଠର ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ କେନ୍ଦ୍ର ସରକାର କୋର୍ଟକୁ ଜଣାଇଥିଲେ ଯେ, ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ସରକାରଙ୍କର କୌଣସି ଆପତ୍ତି ନାହିଁ।କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ କହିଥିଲେ ଯେ, ୱାଙ୍ଗଚୁକଙ୍କୁ ଲଗାତାର ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରଖିବା ଆବଶ୍ୟକ। ଚିକିତ୍ସକଙ୍କ ପରାମର୍ଶ ବିନା ତାଙ୍କୁ ଡିସ୍ଚାର୍ଜ ନ କରିବାକୁ ମଧ୍ୟ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ।ନିଟ୍ ପେପର ଲିକ୍ ମାମଲାକୁ କେନ୍ଦ୍ର କରି ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନ ମଙ୍ଗଳବାର ୨୪ତମ ଦିନରେ ପହଞ୍ଚିଛି।
