‘ଆମ କଳାକାର’ ଚୟନକୁ ନେଇ ଅସନ୍ତୋଷପ୍ରଚାର ପ୍ରସାର ଅଭାବରୁ ଅନେକ କଳାକାର ବଞ୍ଚିତ, ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ନେଇ ପ୍ରଶ୍ନ ।
ଗଜପତି ୯/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଜିଲ୍ଲାର କଳା, ସଂସ୍କୃତି ଓ ପାରମ୍ପରିକ କଳାରୂପକୁ ରାଜ୍ୟ ତଥା ଜାତୀୟସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ଟାଉନ୍ ହଲ୍ଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖ ଯାଏଁ ଚାଲିବ। ତେବେ ଚୟନ ପ୍ରକ୍ରିୟା ଆରମ୍ଭରୁ ହିଁ ଏହାର ପ୍ରଚାର ପ୍ରସାର ଓ ସ୍ୱଚ୍ଛତାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରକ୍ରିୟାରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ କଳାକାରଙ୍କ ପ୍ରତିଭାକୁ ମୂଲ୍ୟାୟନ କରି ଚୟନ କରାଯିବ। ଚୟନିତ ଅନୁଷ୍ଠାନ ଓ କଳାକାରମାନେ ଆଗାମୀ ଦିନରେ ବିଭାଗ ପକ୍ଷରୁ ଆୟୋଜିତ ଓ ପ୍ରାୟୋଜିତ ରାଜ୍ୟ ତଥା ଜାତୀୟସ୍ତରୀୟ ସାଂସ୍କୃତିକ ମଞ୍ଚରେ କଳା ପରିବେଷଣର ସୁଯୋଗ ପାଇବେ। ପ୍ରଥମ ଦିନରେ ୨୬ଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ବିଚାରକ ଭାବେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ କଳାଗୁରୁ ରଘୁନାଥ ପାତ୍ର, ଅଭିଜ୍ଞ ମଞ୍ଚ କଳାକାର ନୃସିଂହ ଚରଣ ପଟ୍ଟନାୟକ, ବରିଷ୍ଠ ଭାରତଲୀଳା କଳାକାର ତଥା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ହରିକୃଷ୍ଣ ବିଶ୍ୱାଳ ଏବଂ ସଂକୀର୍ତ୍ତନ ଗୁରୁ ପ୍ରଫୁଲ୍ଲ ବିଶ୍ୱାଳ ଯୋଗଦେଇଥିଲେ। ସେମାନେ କଳାକାରଙ୍କ ପରିବେଷଣର ବିଭିନ୍ନ ଦିଗକୁ ମୂଲ୍ୟାୟନ କରିଥିଲେ। ତେବେ ଏହି ଚୟନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇ ନଥିବାରୁ ଜିଲ୍ଲାର ଅନେକ କଳାକାର ଓ ସାଂସ୍କୃତିକ ଅନୁଷ୍ଠାନ ଏ ସମ୍ପର୍କରେ ଜାଣିପାରି ନଥିଲେ। ଫଳରେ ସେମାନେ ଚୟନ ପ୍ରକ୍ରିୟାରେ ସାମିଲ ହେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଚାରକ ମଣ୍ଡଳୀଙ୍କ ଚୟନ ପ୍ରକ୍ରିୟା ଓ ମୂଲ୍ୟାୟନ ପଦ୍ଧତିକୁ ନେଇ ମଧ୍ୟ କେତେକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚୟନରେ ସମସ୍ତ ଯୋଗ୍ୟ କଳାକାରଙ୍କୁ ସମାନ ସୁଯୋଗ ମିଳିଛି କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅସନ୍ତୁଷ୍ଟ କଳାକାରମାନେ କହିଛନ୍ତି। ଜିଲ୍ଲାର କଳା ଓ ସଂସ୍କୃତିକୁ ବ୍ୟାପକ ପରିଚୟ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଚୟନ ପ୍ରକ୍ରିୟାରେ ଯେପରି କୌଣସି ଯୋଗ୍ୟ କଳାକାର ସୂଚନା ଅଭାବରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି।
