ବ୍ରହ୍ମପୁରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ମନ୍ଥନ ଯାତ୍ରା ୨୦୨୬’ଯୁବପିଢ଼ିଙ୍କ ସମସ୍ୟା, ଆକାଂକ୍ଷା ଓ ସମାଧାନ ନେଇ ଆଲୋଚନା
ବ୍ରହ୍ମପୁର: ଯୁବପିଢ଼ିଙ୍କ ସମସ୍ୟା, ଆକାଂକ୍ଷା ଓ ସମାଧାନର ବାଟ ଖୋଜିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବ୍ରହ୍ମପୁରର ଜଗନ୍ନାଥପୁର ହାଇୱେ ନିକଟସ୍ଥ ଜେଏନଟିଟିଇସିଠାରେ ‘ମନ୍ଥନ ଯାତ୍ରା ୨୦୨୬’ ଆୟୋଜିତ ହୋଇଛି। ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୬ର ‘ଭିନ୍ନ ପରିସ୍ଥିତି, ସମାନ ଆକାଂକ୍ଷା’ ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଯୁବକଯୁବତୀ ଯୋଗଦେଇ ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ।ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ରିସ୍ତା’ (ରିଜିଓନାଲ ଇନିସିଏଟିଭ ଫର୍ ସେଫ୍ ସେକ୍ସୁଆଲ୍ ହେଲଥ୍ ବାଏ ଟୁଡେଜ୍ ଆଡୋଲସେଣ୍ଟସ୍) ପ୍ରକଳ୍ପ ଅଧୀନରେ ଏହି ପଦକ୍ଷେପ ଆୟୋଜିତ ହୋଇଥିଲା।
ଏହା ମାଧ୍ୟମରେ କିଶୋରକିଶୋରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା, ସଠିକ୍ ନିଷ୍ପତ୍ତି ଗ୍ରହଣ, ନିରାପଦ ଅଭ୍ୟାସ ଓ ସକାରାତ୍ମକ ସ୍ୱାସ୍ଥ୍ୟ ଆଚରଣକୁ ପ୍ରୋତ୍ସାହିତ କରାଯାଉଛି।କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଦୀପକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ, ଟାଟା ଷ୍ଟିଲ୍ ଏସଇଜେଡ୍ କର୍ପୋରେଟ୍ ସର୍ଭିସେସ୍ ହେଡ୍ ରାକେଶ ପାତ୍ର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଗୋପାଳପୁର ୟୁନିଟ୍ ହେଡ୍ ଡକ୍ଟର ଜୟନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ।ବ୍ରହ୍ମପୁର ଫିଜିକାଲ ଏକାଡେମୀର ପ୍ରତିଷ୍ଠାତା ସୀମାଞ୍ଚଳ ବାରିକ ଯୁବପିଢ଼ିଙ୍କୁ ନିଜର ଦକ୍ଷତା ଚିହ୍ନିବା ସହ ସମାଜ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ।ଆଲୋଚନାଚକ୍ରରେ ଅନ୍ତର୍ଜାତୀୟ ଯୁବ ଦିବସର ତିନୋଟି ପ୍ରମୁଖ ଦିଗ, ବିଶ୍ୱସ୍ତରୀୟ ଏକତା, ମିଳିତ ଆହ୍ୱାନ ଓ ଯୁବ ନବସୃଜନ ଉପରେ ଆଲୋକପାତ କରାଯାଇଥିଲା। ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ, ସୁରକ୍ଷା, ଡିଜିଟାଲ୍ ସୁବିଧା ଓ ପରିବେଶ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଯୁବ ଅଂଶଗ୍ରହଣକାରୀମାନେ ନିଜ ନିଜର ମତ ରଖିଥିଲେ।କେବଳ ସମସ୍ୟା ଚିହ୍ନଟ ନୁହେଁ, ଏହାର ସମାଧାନ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଯୁବକଯୁବତୀମାନଙ୍କୁ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଦେବା, ସମ୍ଭାବ୍ୟ ସମାଧାନ ଖୋଜିବା, ଦାୟିତ୍ୱ ବଣ୍ଟନ କରିବା ଏବଂ ଗୋଷ୍ଠୀସ୍ତରୀୟ ପଦକ୍ଷେପ ପାଇଁ ସମୟସୀମା ନିର୍ଦ୍ଧାରଣ କରିବାକୁ ଉତ୍ସାହିତ କରାଯାଇଥିଲା।‘ମନ୍ଥନ ଯାତ୍ରା’ରୁ ମିଳିଥିବା ମତାମତ ଓ ସୁପାରିଶଗୁଡ଼ିକ ଆସନ୍ତା ଡିସେମ୍ବର ମାସରେ ଆୟୋଜିତ ହେବାକୁ ଥିବା ଟାଟା ଷ୍ଟିଲ୍ ଫାଉଣ୍ଡେସନର ପ୍ରମୁଖ ଯୁବ ମଞ୍ଚ ‘ଧ୍ୱନି-ଏ ୟୁଥ୍ କନକ୍ଲେଭ୍ ୨୦୨୬’ରେ ଉପସ୍ଥାପିତ ହେବ।ଏହି ପଦକ୍ଷେପ ମାଧ୍ୟମରେ ଯୁବପିଢ଼ିଙ୍କୁ ପରିବର୍ତ୍ତନର ସକ୍ରିୟ ବାହକ ଭାବେ ଗଢ଼ି ତୋଳିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।
