ମାଁ କଣ୍ଟାବାଉଁସୁଣୀ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ
ଦାମନଯୋଡ଼ି (Chandan Prasad): ତରିଖ 22/11/2026 ସ୍ଥାନୀୟ ଦାମନଯୋଡ଼ି ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମାଁ କଣ୍ଟାବାଉଁସୁଣୀ ମନ୍ଦିର ପରିସରରେ ‘ମାଁ କଣ୍ଟାବାଉଁସୁଣୀ ସେବାୟତ ମଣ୍ଡଳୀ’ ପକ୍ଷରୁ ଏକ ସ୍ୱତନ୍ତ୍ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଉଦ୍ଦେଶ୍ୟରେ ସେବାୟତ ମଣ୍ଡଳୀର ସଦସ୍ୟମାନେ ଏକତ୍ରିତ ହୋଇ ଏହି ଅଭିଯାନ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ଦିରର ଭୋଗ ମଣ୍ଡପ ସମେତ ସମଗ୍ର ପରିସରରେ ଜମା ହୋଇ ରହିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ ଓ ଅନ୍ୟାନ୍ୟ ଆବର୍ଜନାକୁ ସଫା କରାଯାଇଥିଲା।
“ଆସନ୍ତୁ ମନ୍ଦିର ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ମିଳିମିଶି ସହଯୋଗ କରିବା” ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବାୟତ ମଣ୍ଡଳୀର ବହୁ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ମଧ୍ୟ ପରିସରକୁ ସଫା ରଖିବା ସହ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ସେବାୟତ ମଣ୍ଡଳୀ ପକ୍ଷରୁ ନିବେଦନ କରାଯାଇଛି। ସେବାୟତ ମଣ୍ଡଳୀର ଏଭଳି ଜନହିତକର ତଥା ପରିବେଶ ସଚେତନତା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

