ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ’ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ’ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

‘ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ’ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ରାୟଗଡ, ୨୦.୧୧.୨୦୨୬: ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ (Transgender Day of Remembrance) ପାଳନ ଅବସରରେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ରାୟଗଡ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ ଶ୍ରୀ ରବୀନ୍ଦ୍ର ନାଥ କହଁର, ଓ.ପ୍ର.ସେ. (SAG)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଶ୍ରୀମତୀ ଏଲିଜାବେଥ ଗୋରୋଡ଼ା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO) ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଗୁଣୁପୁର ଶ୍ରୀ ନିହାର ରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲାର କିନ୍ନର (ଟ୍ରାନ୍ସଜେଣ୍ଡର) ସମୁଦାୟର ପ୍ରତିନିଧି କାନ୍ତାରାଓ କଣ୍ଡାଗରୀ (କାଜଲ), ସଭାପତି, ମା’ ମାଝୀଗୌରୀ CBO, ରାୟଗଡ ଏବଂ ଶିଶିରକାନ୍ତ ମହାପାତ୍ର (ପିଙ୍କି), ସମ୍ପାଦକ, ମା’ ମାଝୀଗୌରୀ CBO, ରାୟଗଡଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

ବୈଠକ ଆରମ୍ଭରେ ସମାଜରେ ହିଂସା, ଭେଦଭାବ ଓ ଅସହିଷ୍ଣୁତାର ଶିକାର ହୋଇ ପ୍ରାଣ ହରାଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଟ୍ରାନ୍ସଜେଣ୍ଡର ସମୁଦାୟଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କ ସାମ୍ବିଧାନିକ ଅଧିକାର, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କହଁର ଗୁରୁତ୍ୱାରୋପ କରିଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଏଲିଜାବେଥ ଗୋରୋଡ଼ା ଟ୍ରାନ୍ସଜେଣ୍ଡର ସମୁଦାୟଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା, ପରିଚୟପତ୍ର ପ୍ରଦାନ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଜୀବିକା ନିର୍ବାହ ସମ୍ବନ୍ଧୀୟ ସୁବିଧାଗୁଡ଼ିକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ କିପରି ପହଞ୍ଚିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ଟ୍ରାନ୍ସଜେଣ୍ଡର ସମୁଦାୟର ପ୍ରତିନିଧିମାନେ ସେମାନଙ୍କ ବିଭିନ୍ନ ସମସ୍ୟା, ଆବଶ୍ୟକତା ଓ ଅନୁଭୂତି ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ। ସେମାନଙ୍କ ଉଠାଇଥିବା ସମସ୍ୟାଗୁଡ଼ିକର ସମାଧାନ ଓ ଆବଶ୍ୟକ ସହଯୋଗ ପ୍ରଦାନ ଦିଗରେ ପ୍ରଶାସନ ପକ୍ଷରୁ ଆଶ୍ୱାସନ ଦିଆଯାଇଥିଲା।

ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ବୈଠକର ସଂଯୋଜନା କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।