*ବାତ୍ୟା ଆଶଙ୍କାରେ ଚାଷୀଙ୍କୁ ଆଗୁଆ ଫସଲ ଅମଳ ପରାମର୍ଶ*।
ଗଜପତି, ୧୮.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ବ୍ଲକ୍ରେ ଚାଷୀମାନଙ୍କୁ ସଚେତନ କରାଯିବା ସହ ଧାନ ଫସଲର ସୁରକ୍ଷା ନିମନ୍ତେ ଆବଶ୍ୟକ ପରାମର୍ଶ ଦିଆଯାଇଛି।
ପ୍ରଶାସନ ପକ୍ଷରୁ ଜମିରେ ଥିବା ପାଚିଲା ଧାନକୁ ଆଉ ବିଳମ୍ବ ନକରି ଯଥାଶୀଘ୍ର ଅମଳ କରିନେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି। ଅମଳ ହୋଇଥିବା ଧାନକୁ ବର୍ଷା ଓ ଜଳ ଜମିବାରୁ ସୁରକ୍ଷା ଦେବା ପାଇଁ ଉଚ୍ଚ ତଥା ନିରାପଦ ସ୍ଥାନରେ ରଖିବା ସହ ପଲିଥିନ୍ କିମ୍ବା ଅନ୍ୟ ଉପଯୁକ୍ତ ଆବରଣରେ ଭଲଭାବେ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି।ବାତ୍ୟା ଓ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବା ସହ ଅମଳ ଧାନ ଭିଜିଯିବାର ଆଶଙ୍କା ଥିବାରୁ ଚାଷୀମାନେ ଏ ଦିଗରେ ବିଶେଷ ସତର୍କ ରହିବା ଆବଶ୍ୟକ ବୋଲି ସୂଚାଇ ଦିଆଯାଇଛି। ତେଣୁ ପାଣିପାଗର ସ୍ଥିତି ଉପରେ ନଜର ରଖିବା ସହ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସତର୍କ ସୂଚନା ଓ ପରାମର୍ଶକୁ ପାଳନ କରିବାକୁ କୁହାଯାଇଛି।
ଜିଲ୍ଲାର ସମସ୍ତ ଚାଷୀ ଭାଇମାନେ ଆଗୁଆ ସତର୍କତା ଅବଲମ୍ବନ କରି ନିଜର ଫସଲ ଓ ଅମଳ ଧାନକୁ ସୁରକ୍ଷିତ ରଖିବା ସହ ବାତ୍ୟା ମୁକାବିଲା ଦିଗରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ବିନମ୍ର ନିବେଦନ କରାଯାଇଛି।
