ସେରଙ୍ଗ ପୁଲିସ ପକ୍ଷରୁ ୫୦୭ କେଜି ୯୦୦ ଗ୍ରାମ ଗଞ୍ଜେଇ ସମେତ ଦୁଇ ଗାଡ଼ି ଜବତ

ସେରଙ୍ଗ ପୁଲିସ ପକ୍ଷରୁ ୫୦୭ କେଜି ୯୦୦ ଗ୍ରାମ ଗଞ୍ଜେଇ ସମେତ ଦୁଇ ଗାଡ଼ି ଜବତ

*ସେରଙ୍ଗ ପୁଲିସ ପକ୍ଷରୁ ୫୦୭ କେଜି ୯୦୦ ଗ୍ରାମ ଗଞ୍ଜେଇ ସମେତ ଦୁଇ ଗାଡ଼ି ଜବତ* ।

ଗଜପତି, ୧୮.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୁଲିସର ଅଭିଯାନ ଜାରି ରହିଥିବା ବେଳେ ସେରଙ୍ଗ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଗତ ୧୭ ତାରିଖ ଭୋର ସମୟରେ ଚଢ଼ାଉ କରି ପୁଲିସ ୫୦୭ କେଜି ୯୦୦ ଗ୍ରାମ ଓଜନର ବେଆଇନ ଗଞ୍ଜେଇ ଜବତ କରିବା ସହ ଚୋରାଚାଲାଣରେ ବ୍ୟବହୃତ ଗୋଟିଏ ମହିନ୍ଦ୍ରା ବୋଲେରୋ ମ୍ୟାକ୍ସ ପିକ୍‌ଅପ୍ ଓ ଗୋଟିଏ ହିରୋ ଗ୍ଲାମର ମୋଟରସାଇକେଲ ଜବତ କରିଛି। ତେବେ ପୁଲିସକୁ ଦେଖି ଗାଡ଼ିର ଚାଳକ ଓ ମୋଟର ସାଇକେଲ ଆରୋହୀ ଘଟଣାସ୍ଥଳରୁ ଫେରାର ସୋଇଯାଇଥିବା ଜଣାପଡିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ୧୭.୧୧.୨୦୨୬ ତାରିଖ ଭୋର ପ୍ରାୟ ୫ଟା ସମୟରେ ସେରଙ୍ଗ ଥାନା ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା ଯେ, ପୁଟାସିଂ ଥାନା ଅଞ୍ଚଳରୁ ସେରଙ୍ଗ ଅଭିମୁଖେ ଆସୁଥିବା ଏକ ମହିନ୍ଦ୍ରା ବୋଲେରୋ ମ୍ୟାକ୍ସ ପିକ୍‌ଅପ୍ ଗାଡ଼ିରେ ୨୨ଗୋଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ନିଆଯାଉଛି। ଏହି ଗାଡ଼ିକୁ ଏକ ହିରୋ ଗ୍ଲାମର ମୋଟରସାଇକେଲ ଏସ୍କର୍ଟ କରୁଥିବା ନେଇ ମଧ୍ୟ ସୂଚନା ମିଳିଥିଲା।

ଏହି ସୂଚନା ଆଧାରରେ ପାଟ୍ରୋଲିଂ ଟିମ୍ ଅଧିକ ସତର୍କ ହୋଇ ରାଗିଡ଼ି ପୁଟାସିଂ ନିକଟ ରାସ୍ତାରେ ଅପେକ୍ଷା କରିଥିଲେ। ସକାଳ ପ୍ରାୟ ୬ଟା ୧୫ ମିନିଟ୍ ସମୟରେ ପୁଟାସିଂ ଅଞ୍ଚଳରୁ ଏକ ହିରୋ ଗ୍ଲାମର ମୋଟର ସାଇକେଲ ଆଗରେ ଏବଂ ଏକ ଧଳା ରଙ୍ଗର ବୋଲେରୋ ପିକ୍‌ଅପ୍ ପଛରେ ଆସୁଥିବା ଦେଖି ପୁଲିସ ସେମାନଙ୍କୁ ଅଟକିବାକୁ ସଙ୍କେତ ଦେଇଥିଲା। କିନ୍ତୁ ପୁଲିସ ଗାଡ଼ିକୁ ଦେଖି ଉଭୟ ଗାଡ଼ିର ଚାଳକ ଓ ମୋଟରସାଇକେଲ ଆରୋହୀ ଗାଡ଼ି ଛାଡ଼ି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପୁଲିସ ସେମାନଙ୍କୁ ପିଛା କରିଥିଲେ ମଧ୍ୟ ଧରିବାରେ ସଫଳ ହୋଇପାରିନଥିଲା।ପୁଲିସ ଦୁଇଟି ଗାଡ଼ିର ଯାଞ୍ଚ କଲା ବେଳେ ଓଡି-୨୦ ଏ-୨୭୯୮ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ମୋଟରସାଇକେଲରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ବେଳେ ଓଡି-୨୨ ଇ-୪୪୫୭ ନମ୍ବର ବିଶିଷ୍ଟ ବୋଲେରୋ ପିକ୍‌ଅପ୍‌ର ଡାଲାରୁ ୨୨ ଗୋଟି ବସ୍ତାରୁ ବେଆଇନ୍ ଗଞ୍ଜେଇ ମିଳିଥିଲା।ଏହା ପରେ ଥାନା ଅଧିକାରୀଙ୍କୁ ଖବର ଦିଆଯାଇ ଆବଶ୍ୟକ ପୁଲିସ ବ୍ୟବସ୍ଥା କରାଯାଇଥିଲା।

ଗୁମ୍ମାର ଅତିରିକ୍ତ ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଶ୍ରୀ ସୁନୀଲ କୁମାର ସ୍ୱାଇଁ (ଓଆରଏସ୍) ଏବଂ ସାକ୍ଷୀମାନଙ୍କ ଉପସ୍ଥିତିରେ ଆଇନ ଅନୁଯାୟୀ ତଲାସୀ ଓ ଜବତ ପ୍ରକ୍ରିୟା କରାଯାଇଥିଲା। ଜବତ ଗଞ୍ଜେଇର ଜାରିକିନ୍ ସହ ମୋଟ ଓଜନ ୫୧୦ କେଜି ୧୦୦ ଗ୍ରାମ ହୋଇଥିବାବେଳେ ଜାରିକିନ୍‌ର ଓଜନ ବାଦ୍ ଦେଇ ପ୍ରକୃତ ଗଞ୍ଜେଇର ଓଜନ ୫୦୭ କେଜି ୯୦୦ ଗ୍ରାମ ରହିଥିବା ଜଣାପଡ଼ିଛି।ଏହି ଘଟଣାରେ ସେରଙ୍ଗ ଥାନାରେ କେସ୍ ନଂ-୧୬୬, ତାରିଖ ୧୭.୧୧.୨୦୨୬ରେ ଏନ୍‌ଡିପିଏସ୍ ଆଇନର ଧାରା ୨୦(ବି)(ii)(ସି)/୨୫/୨୯ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଜବତ ଗଞ୍ଜେଇ ସହ ଉଭୟ ଗାଡ଼ିକୁ ପୁଲିସ ଥାନାରେ ଅଟକ ରଖାଯାଇଛି।ଏହି ଚୋରାଚାଲାଣରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତଦନ୍ତକାରୀ ଦଳ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।