ଶିକ୍ଷାର ଆଲୋକରୁ ବଞ୍ଚିତ ହୋଇ ୫ କିଲୋମିଟର ଚାଲି ପାଠ ପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀଗଜପତି : ଶିକ୍ଷାର ଆଲୋକରୁ ବଞ୍ଚିତ ହୋଇ ୫ କିଲୋମିଟର ଚାଲି ପାଠ ପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ ।ଗଜପତି, ୧୫/୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଶିକ୍ଷା ହେଉଛି ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର। କିନ୍ତୁ ଆଜି ମଧ୍ୟ ଗ୍ରାମାଞ୍ଚଳର ଅନେକ କୁନି କୁନି ପିଲା ଶିକ୍ଷା ତଥା ପାଠ ପଢ଼ିବା ପାଇଁ ଦୂରଦୂରାନ୍ତ ଚାଲିଯିବାକୁ ବାଧ୍ୟ ହେଉଛନ୍ତି
ଏଭଳି ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କିମ୍ବସିଂ ଗ୍ରାମରୁ।ଗ୍ରାମବାସୀଙ୍କ କହିବା ଅନୁଯାୟୀ, କିମ୍ବସିଂ ପ୍ରାଥମିକ ବିଦ୍ୟାଳୟ ୧୯୫୨ ମସିହାରେ ପ୍ରତିଷ୍ଠା ହୋଇ ଉଦଘାଟନ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟ ଗ୍ରାମର ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରି ଆସୁଥିଲା।କିନ୍ତୁ କୌଣସି କାରଣ ବଶତଃ ପ୍ରାୟ ୭ ବର୍ଷ ପୂର୍ବେ ବିଦ୍ୟାଳୟଟି ବନ୍ଦ ହୋଇ ଯାଇଥିଲା। ଏହା ପରେ ଗ୍ରାମର ଶିକ୍ଷା ବ୍ୟବସ୍ଥା ଏକ ଗୁରୁତର ସମସ୍ୟା ମଧ୍ୟରେ ସମ୍ମୁଖୀନ ହୋଇଛି।ବର୍ତ୍ତମାନ ଗ୍ରାମର କୋମଳମତି ଶିଶୁମାନଙ୍କୁ ପାଠ ପଢ଼ିବା ପାଇଁ ପ୍ରାୟ ୫ କିଲୋମିଟର ଦୂରକୁ ଚାଲିଚାଲି ଯିବାକୁ ପଡ଼ୁଛି। ଛୋଟ ଛୋଟ ପିଲାଙ୍କ ପାଇଁ ଏତେ ଦୂର ରାସ୍ତା ଅତିକ୍ରମ କରି ବିଦ୍ୟାଳୟକୁ ଯିବା କେବଳ କଷ୍ଟକର ନୁହେଁ, ବରଂ ଅଭିଭାବକଙ୍କ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି।
ବର୍ଷା, ଖରା ଓ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିରେ ପିଲାମାନଙ୍କ ଏହି ଦୈନନ୍ଦିନ ଚଲା-ଯାତ୍ରା ଆହୁରି ଯନ୍ତ୍ରଣାଦାୟକ ହୋଇପଡ଼ୁଛି।ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କିମ୍ବସିଂ ଗ୍ରାମବାସୀ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ନିକଟରେ ଏକ ଭାବବିହ୍ୱଳ ନିବେଦନ କରିଛନ୍ତି। ଗ୍ରାମର ପିଲାମାନଙ୍କ ଭବିଷ୍ୟତ ଓ ଶିକ୍ଷାର ଅଧିକାରକୁ ଦୃଷ୍ଟିରେ ରଖି ବନ୍ଦ ହୋଇଥିବା କିମ୍ବସିଂ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।ଗ୍ରାମବାସୀଙ୍କ ଆଶା ଯେ, ବିଧାୟକ ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସମସ୍ୟାକୁ ଗମ୍ଭୀରତାର ସହ ନେଇ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରିବେ ଏବଂ ବିଦ୍ୟାଳୟ ପୁନଃ ଖୋଲିବା ଦିଗରେ ପଦକ୍ଷେପ ନେବେ।ଆମ ପିଲାମାନେ ମଧ୍ୟ ଗାଁରେ ରହି ଶିକ୍ଷା ପାଇବାର ସୁଯୋଗ ପାଆନ୍ତୁ।
୫ କିଲୋମିଟର ଦୂର ଚାଲିବାର ଯନ୍ତ୍ରଣାରୁ ମୁକ୍ତି ମିଳୁ।ଆମ ଗାଁର ବିଦ୍ୟାଳୟ ପୁଣି ଖୋଲୁ, ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ” — ଏହି ଆଶା ଓ ଆକାଂକ୍ଷା ନେଇ ଗ୍ରାମବାସୀ ବିଧାୟକ’ଙ୍କ ହସ୍ତକ୍ଷେପ ଅପେକ୍ଷାରେ ରହିଛନ୍ତି।ଏବେ ଦେଖିବାକୁ ବାକି ରହିଲା, କିମ୍ବସିଂ ଗ୍ରାମର ଏହି ଦୀର୍ଘଦିନର ଶିକ୍ଷା ସମସ୍ୟା କେବେ ସମାଧାନ ହେବ ଏବଂ କେବେ ପୁଣି ବିଦ୍ୟାଳୟ ପରିସରରେ କୁନି କୁନି ପିଲାମାନଙ୍କ ହସ, ଖୁସି ଓ ପାଠପଢ଼ାର ସୁବ୍ୟବସ୍ଥା ଦେଖିବାକୁ ମିଳିବ।
