ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଗଜପତି ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ।

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଗଜପତି ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ।

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଗଜପତି ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ।

ଗଜପତି:୧୨.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିରାକରଣ ଏବଂ ପ୍ରତିରୋଧ ପାଇଁ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଚାଲୁ ରହିଛି। ପାରଳାଖେମୁଣ୍ଡି ପୌର ପରିଷଦର ସମସ୍ତ ୱାର୍ଡର ପ୍ରତ୍ୟେକ ସାହି ଓ ଗଳିକନ୍ଦିରେ ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।ଡେଙ୍ଗୁ ରୋଗ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାଏ। ଡେଙ୍ଗୁର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, ହାଡ଼ ଓ ଗଣ୍ଠି ବିନ୍ଧା ଏବଂ ଶରୀରରେ ଲାଲ ଦାଗ ଦେଖାଯିବା। ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଙ୍କ ପରାମର୍ଶ ନେବାକୁ ସଚେତନ କରାଯାଉଛି।ସେହିପରି ମ୍ୟାଲେରିଆ ରୋଗର ଲକ୍ଷଣ ଭାବେ ଥଣ୍ଡା ଓ କମ୍ପ ସହିତ ଜ୍ୱର, ମୁଣ୍ଡବିନ୍ଧା ଏବଂ ବାନ୍ତି ହେବା ଦେଖାଯାଇଥାଏ। ଜ୍ୱର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରାଇବା, ମ୍ୟାଲେରିଆ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧର ସମ୍ପୂର୍ଣ୍ଣ ମାତ୍ରା ଖାଇବା, ପ୍ରତିଦିନ ମଶାରି ବ୍ୟବହାର କରିବା ଆଦି ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ଲୋକଙ୍କୁ ବୁଝାଯାଉଛି।ଏଥିସହ ଘର ଓ ଆଖପାଖରେ ପାଣି ଜମିବାକୁ ନଦେବା, ପାଣି ରହୁଥିବା ପାତ୍ର ଓ ସ୍ଥାନଗୁଡ଼ିକୁ ନିୟମିତ ସଫା କରିବା, ମଶାର ପ୍ରଜନନ ସ୍ଥାନ ନଷ୍ଟ କରିବା ଏବଂ ମଶା କାମୁଡ଼ାରୁ ନିଜକୁ ସୁରକ୍ଷିତ ରଖିବା ନେଇ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯାଉଛି।ଏହି ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନରେ ସମାଜସେବୀ ଜସ୍ମିନ୍ ସେଖ ସକ୍ରିୟ ଭାବେ ସହଯୋଗ କରିଥିଲେ।

ସେ ସ୍ୱାସ୍ଥ୍ୟକର୍ମୀ ଓ ଆଶା ଦିଦିମାନଙ୍କ ସହ ମିଶି ପାରଳାଖେମୁଣ୍ଡି ସହରର ବିଭିନ୍ନ ଅଞ୍ଚଳ, ସାହି ଓ ୱାର୍ଡ ବୁଲି ଲୋକଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଏବଂ ସୁରକ୍ଷା ଉପାୟ ବିଷୟରେ ବୁଝାଇଥିଲେ।ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହ ଏହି ଦୁଇଟି ମଶାବାହିତ ରୋଗର ପ୍ରସାରକୁ ରୋକିବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ସମସ୍ତଙ୍କ ସହଯୋଗ ଓ ସଚେତନତା ଦ୍ୱାରା ଏକ ସୁସ୍ଥ, ସୁରକ୍ଷିତ ଓ ମଶାମୁକ୍ତ ପାରଳାଖେମୁଣ୍ଡି ଗଠନ କରିବା ସମ୍ଭବ ବୋଲି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି।